ଆହୁରି ୫ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀର ପ୍ରକୋପ; କୁଆପଥର ବର୍ଷା ପବନ ସାଙ୍ଗକୁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।

ଅକ୍ଷର ବ୍ୟୁରୋ: ଦିନରେ ଅସହ୍ୟ ଖରା ଓ ଗୁଳୁଗୁଳି ସାଙ୍ଗକୁ ରାତିରେ ପାଗ ହଠାତ୍ ବଦଳିଯାଉଛି । ସାଙ୍ଗେ ସାଙ୍ଗେ ବର୍ଷା ପବନ ମାଡିଆସୁଛି । କିଛି ଏହିଭଳି ଚାଲିଛି ରାଜଧାନୀର ପାଣିପାଗ । ଏପଟେ ଆହୁରି ୫ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀର ପ୍ରକୋପ ଜାରି ରହିବ । ରାଜ୍ୟର କେତେକ ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନାଗିରି, ବାଲେଶ୍ୱର, ରାୟଗଡ଼ା, ଗଜପତି, ଭଦ୍ରକ, ନବରଙ୍ଗପୁର ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସ୍ଥାନରେ କୁଆପଥର ମାଡ଼ ସମ୍ଭାବନା ବି ରହିଛି । ଆସନ୍ତା ଦୁଇ ଦିନ ପରେ ରାଜ୍ୟରେ ଦିନ ତାପମାତ୍ରା ବଢ଼ିବ । ପ୍ରାୟ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିପାରେ । ଏମିତି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ରବିବାର ରାଜ୍ୟର ୨୩ଟି ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା । ଏଥିରୁ ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୦.୮ ଡିଗ୍ରୀ ଛୁଇଁଥିଲା । ଭବାନୀପାଟଣାରେ ୩୯.୮, ଝାରସୁଗୁଡ଼ା ଓ ସୋନପୁରର ତାପମାତ୍ରା ୩୯.୪ ଡିଗ୍ରୀ ରହିଥିଲା । ସେହିପରି ବଲାଙ୍ଗିରରେ ୩୮.୮, ସମ୍ବଲପୁରରେ ୩୮.୭, ହୀରାକୁଦ ଓ ତାଳଚେରରେ ୩୮.୬ ଏବଂ ରାଉରକେଲାରେ ଦିନର ତାପମାତ୍ରା ୩୮.୨ ଡିଗ୍ରୀ ରହିଥିଲା । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ରହିବା ସହ ଆକାଶ ମେଘୁଆ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)