ଅକ୍ଷର ବ୍ୟୁରୋ: ରାଜ୍ୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନକୁ ନେଇ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ସ୍ଥିରୀକୃତ ୨୨୦୦ଟି ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ମାର୍ଚ୍ଚ ୨୦୨୭ ସୁଦ୍ଧା ଜମି ଚିହ୍ନଟ ଓ ଯୋଗାଣ ସୁନିଶ୍ଚିତ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଅନୁଷ୍ଠିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ରକଳ୍ପକୁ ସମୟସୀମା ମଧ୍ୟରେ ସଫଳ କରିବା ପାଇଁ ଜମି ଚିହ୍ନଟ ପ୍ରକ୍ରିୟାକୁ ସର୍ବାଧିକ ପ୍ରାଥମିକତା ଦେବା ଆବଶ୍ୟକ।
କାର୍ଯ୍ୟର ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାପାଳ ପ୍ରତି ସପ୍ତାହରେ ପ୍ରକଳ୍ପର ତଦାରଖ କରିବେ। ଏହାସହ ସାପ୍ତାହିକ ଅଗ୍ରଗତି ରିପୋର୍ଟ ପ୍ରସ୍ତୁତ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କୁ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ନିଜେ ପ୍ରତି ମାସରେ ପ୍ରକଳ୍ପର ପ୍ରଗତିର ସମୀକ୍ଷା କରିବେ ବୋଲି ସ୍ପଷ୍ଟ କରିଛନ୍ତି। ରାଜ୍ୟ ସରକାର ଏହି ମହତ୍ୱାକାଙ୍କ୍ଷୀ ପ୍ରକଳ୍ପ ପାଇଁ ଚଳିତ ଆର୍ଥିକ ବର୍ଷରେ ୨୨୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟବରାଦ କରିଛନ୍ତି। ଏହି ଅର୍ଥରେ ଆଧୁନିକ ଭିତ୍ତିଭୂମି, ଉନ୍ନତ ଶ୍ରେଣୀଗୃହ, ଶିକ୍ଷାନୁକୂଳ ପରିବେଶ ଓ ଆବଶ୍ୟକ ସମସ୍ତ ସୁବିଧା ସହ ବିଶ୍ୱସ୍ତରୀୟ ପ୍ରାଥମିକ ବିଦ୍ୟାଳୟ ଗଢ଼ି ଉଠିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଜାତୀୟ ଶିକ୍ଷା ନୀତି–୨୦୨୦ ଏବଂ ଶିକ୍ଷାର ଅଧିକାର ଆଇନ–୨୦୦୯ର ଲକ୍ଷ୍ୟ ପୂରଣ କରିବା ସହ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ବିଶ୍ୱସ୍ତରୀୟ ପ୍ରାଥମିକ ଶିକ୍ଷାର ସୁବିଧା ପହଞ୍ଚାଇବା ହେଉଛି ଏହି ଯୋଜନାର ମୂଳ ଉଦ୍ଦେଶ୍ୟ। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଫଳରେ ଗ୍ରାମାଞ୍ଚଳର ଶିଶୁମାନେ ନିଜ ପଞ୍ଚାୟତରେ ହିଁ ଉଚ୍ଚମାନର ପ୍ରାଥମିକ ଶିକ୍ଷା ପାଇବାର ସୁଯୋଗ ପାଇବେ। ସେହିପରି ଆଧୁନିକ ଶିକ୍ଷା ଭିତ୍ତିଭୂମି ମାଧ୍ୟମରେ ଓଡ଼ିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଏକ ନୂଆ ଦିଗ ମିଳିବ ବୋଲି ଆଶା କରାଯାଉଛି।













Leave a Reply