ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ନର୍ସିଂ ଛାତ୍ରଛାତ୍ରୀଙ୍କ ରାତିଅଧର ଧାରଣା; ୬ ବର୍ଷ ବିତିଲେ ବି ସରୁନି ୪ ବର୍ଷର କୋର୍ସ

ଅକ୍ଷର ବ୍ୟୁରୋ: ପରୀକ୍ଷା ବିଳମ୍ବ ଓ ରେଜିଷ୍ଟ୍ରେସନ୍‌ ନମ୍ବର ପ୍ରଦାନ ଦାବିରେ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ରାତିଅଧରେ ୯ଟି ବିଏସ୍‌ସି ନର୍ସିଂ କଲେଜର ୩୦୦ରୁ ଅଧିକ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବାବେଳେ ବିଶ୍ୱବିଦ୍ୟାଳୟର କିଛି ଛାତ୍ରଙ୍କ ସହ ଠେଲାପେଲା ହୋଇଥିବା ଅଭିଯୋଗ ହୋଇଛି।

ପ୍ରାୟ ୧୨ ଘଣ୍ଟା ଧରି ଖରା ଓ ବର୍ଷା ମଧ୍ୟରେ ଆନ୍ଦୋଳନ ଜାରି ରହିଥିଲା। ପରେ ପରୀକ୍ଷା ନିୟନ୍ତ୍ରକ ଓ କୁଳପତି ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। ତେବେ ଦୀର୍ଘ ଆଲୋଚନା ସତ୍ତ୍ୱେ କୌଣସି ସମାଧାନ ବାହାରିନଥିଲା। ଏହି ସମୟରେ କୁଳପତି, ନର୍ସିଂ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ବାକ୍‌ବିତଣ୍ଡା ହୋଇଥିଲା। କୁଳପତି କହିଥିଲେ ଯେ, ସେ ଏହି ପ୍ରସଙ୍ଗରେ କିଛି କହିପାରିବେ ନାହିଁ ଏବଂ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ।

ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ, ସେମାନେ ୨୦୨୧–୨୨ ଶିକ୍ଷାବର୍ଷରେ ନାମଲେଖାଇଥିଲେ। ଚାରି ବର୍ଷର କୋର୍ସ ହୋଇଥିଲେ ମଧ୍ୟ ଛଅ ବର୍ଷ ବିତିଯାଇଥିଲେ ସୁଦ୍ଧା କେତେକ ସେମିଷ୍ଟର ପରୀକ୍ଷା ହୋଇନାହିଁ। ଫଳରେ ସେମାନେ କୋର୍ସ ସମ୍ପୂର୍ଣ୍ଣ କରିପାରୁନାହାନ୍ତି।

ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ଯେ, ଆଗାମୀ ଓଏସଏସଏସସି (OSSSC) ନିଯୁକ୍ତି ପରୀକ୍ଷା ପାଇଁ ଆବେଦନର ସମୟସୀମା ଶେଷ ହେବା ପୂର୍ବରୁ ସମସ୍ତ ବକେୟା ଓ ବ୍ୟାକ୍ ପେପର ପରୀକ୍ଷା କରାଯିବା ସହ ରେଜିଷ୍ଟ୍ରେସନ୍‌ ନମ୍ବର ପ୍ରଦାନ କରାଯାଉ, ଯାହାଫଳରେ ସେମାନେ ଚାକିରି ପାଇଁ ଆବେଦନ କରିପାରିବେ। ଛାତ୍ରଛାତ୍ରୀଙ୍କ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସେମାନେ ସତର୍କ କରିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)