ରଥଯାତ୍ରା ବେଳକୁ ପୁଣି ଲଘୁଚାପ ପ୍ରଭାବ! ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା, ବଢ଼ିପାରେ ନଦୀ ଜଳସ୍ତର

ଅକ୍ଷର ବ୍ୟୁରୋ: ରଥଯାତ୍ରା ସମୟରେ ପୁଣି ଥରେ ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିବାକୁ ଯାଉଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତାକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ, ଏହାର ପ୍ରଭାବରେ ୧୪ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହି ଲଘୁଚାପ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଛତିଶଗଡ଼ ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି। ଫଳରେ ରଥଯାତ୍ରା ବେଳକୁ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ପ୍ରକାଶ ପାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଲଘୁଚାପ ପ୍ରଭାବରେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଏବଂ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇପାରେ। ସେହିପରି ମହାନଦୀର ଉପରମୁଣ୍ଡ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ମହାନଦୀର ତଳମୁଣ୍ଡ ଅଞ୍ଚଳରେ ବର୍ଷାର ପରିମାଣ କମ୍ ରହିବାକୁ ଥିବାରୁ ମହାନଦୀରେ ବନ୍ୟା ଆଶଙ୍କା ନଥିବା ସ୍ପଷ୍ଟ କରାଯାଇଛି।

ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ଏବଂ ଅନେକ ଜିଲ୍ଲାରେ ଭାରୀରୁ ଅତିଭାରୀ ବର୍ଷା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ନଦୀକୂଳବର୍ତ୍ତୀ ଅଞ୍ଚଳବାସୀଙ୍କୁ ସତର୍କ ରହିବା ସହ ପ୍ରଶାସନର ପରାମର୍ଶ ମାନିବାକୁ କୁହାଯାଇଛି।

ରାଜ୍ୟରେ ଚଳିତ ମୌସୁମୀ ଋତୁରେ ଏପର୍ଯ୍ୟନ୍ତ ୩୪୧.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୧୨ ପ୍ରତିଶତ ଅଧିକ। ତେବେ ସବୁ ଜିଲ୍ଲାରେ ସମାନ ପରିମାଣର ବର୍ଷା ହୋଇନାହିଁ। ସୁନ୍ଦରଗଡ଼, ଦେବଗଡ଼, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଏବେ ବି ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବାରୁ ସେଠାରେ ପାଣିପାଗ ସ୍ଥିତି ଉପରେ ବିଶେଷ ନଜର ରଖାଯାଉଛି। ରଥଯାତ୍ରା ସମୟରେ ସମ୍ଭାବ୍ୟ ପ୍ରବଳ ବର୍ଷାକୁ ନେଇ ପ୍ରଶାସନ ସଜାଗ ଥିବାବେଳେ, ଭକ୍ତ ଓ ସାଧାରଣ ଲୋକଙ୍କୁ ପାଣିପାଗ ବିଭାଗର ସତର୍କ ସୂଚନା ଉପରେ ନଜର ରଖି ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)