ଅକ୍ଷର ବ୍ୟୁରୋ: ସାପ କାମୁଡ଼ାରେ ଚାଲିଗଲା ତିନି ଜଣଙ୍କ ଜୀବନ। ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଥାନା ଅନ୍ତର୍ଗତ ହାତୀଓଡ଼ା ଗାଁରେ ଘରେ ଶୋଇଥିବା ବେଳେ ସାପ କାମୁଡ଼ାରେ ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ବାଲେଶ୍ୱରରେ ବନ୍ୟା ପରେ ସାପ ଆତଙ୍କ ମଧ୍ୟରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ନାବାଳିକାଙ୍କ ଜୀବନ ଯାଇଛି।ସୁନ୍ଦରଗଡ଼ ଲାଠିକଟା ଥାନା ହାତୀଓଡ଼ା ଗାଁରେ ଘଟିଛି ଅଭାବନୀୟ ଘଟଣା। ଭାଇ ଓ ଭଉଣୀ ଘରେ ଶୋଇଥିବା ସମୟରେ ଏକ ସାପ କାମୁଡ଼ିଥିବା ଜଣାପଡ଼ିଛି। ସାପ କାମୁଡ଼ିବା ପରେ ଉଭୟ ଅଚେତ ହୋଇପଡ଼ିଥିଲେ। ପରିବାର ଲୋକେ ଘଟଣା ଜାଣିବା ପରେ ତୁରନ୍ତ ସେମାନଙ୍କୁ ମେଡିକାଲ ନେଇଥିଲେ। ହେଲେ ସେତେବେଳକୁ ବିଳମ୍ବ ହୋଇସାରିଥିଲା। ମେଡିକାଲରେ ଡାକ୍ତର ଭାଇ-ଭଉଣୀ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟପଟେ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରେ ସାପ ଆତଙ୍କ ମଧ୍ୟରେ ଆଉ ଏକ ଦୁଃଖଦ ଘଟଣା ଘଟିଛି। ବାଲିଆପାଳ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗାଁର ଭଗବାନ ପ୍ରମାଣିକଙ୍କ ଝିଅ ନନ୍ଦିତା ପ୍ରମାଣିକଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ନନ୍ଦିତା ଘର ବାହାରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ିଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ନନ୍ଦିତାଙ୍କୁ ମୃତ ଘୋଷଣା କରିଥିଲେ। ଲଗାଣ ବର୍ଷା ଓ ବନ୍ୟା ପରେ ବିଭିନ୍ନ ଅଞ୍ଚଳରେ ସାପ ଓ ଅନ୍ୟ ବିଷାକ୍ତ ଜୀବଜନ୍ତୁ ମଣିଷ ରହୁଥିବା ସ୍ଥାନକୁ ଚାଲିଆସିବାର ଆଶଙ୍କା ରହିଥାଏ। ତେଣୁ ରାତିରେ ଘର ଭିତର-ବାହାରେ ଯିବା ସମୟରେ ଏବଂ ଘର ବାହାରେ ଶୋଇବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବା ଜରୁରୀ।
















Leave a Reply