ଅକ୍ଷର ବ୍ୟୁରୋ: ଧାର୍ମିକ ସ୍ଥଳ ପୀର ନିଗାହ ଯାଉଥିବା ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ମାଲବାହୀ ଟ୍ରକ୍ ଭୟଙ୍କର ଦୁର୍ଘଟଣାଗ୍ରସ୍ତ । ମଙ୍ଗଳବାର ସକାଳେ ପୀର ନିଗାହ ମନ୍ଦିରଠାରୁ ପ୍ରାୟ ୨ କିଲୋମିଟର ଦୂରରେ ୧୪ ଟାୟାର ବିଶିଷ୍ଟ ଟ୍ରକ୍ଟି ନିୟନ୍ତ୍ରଣ ହରାଇ ରାସ୍ତାକଡ଼ ଖାଇକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ପ୍ରାୟ ୫୦ ଜଣ ଶ୍ରଦ୍ଧାଳୁ ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କ ମଧ୍ୟରେ ମହିଳା, ପୁରୁଷ ଏବଂ ଶିଶୁ ରହିଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ଉନାସ୍ଥିତ ଆଞ୍ଚଳିକ ହସ୍ପିଟାଲକୁ ପଠାଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିବା ବେଳେ ପଥଚାରୀ ଓ ଅନ୍ୟ ଶ୍ରଦ୍ଧାଳୁମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ।
ସୂଚନା ଅନୁସାରେ, ପାନିପତ, ଫତେହାବାଦ ସମେତ ହରିୟାଣାର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ରବିବାର ପୀର ନିଗାହରେ ପହଞ୍ଚିଥିଲେ । ସେଠାରେ ପୂଜାର୍ଚ୍ଚନା ସହ ଲଙ୍ଗର ଆୟୋଜନ କରିଥିଲେ । ମଙ୍ଗଳବାର ସକାଳେ ମାତା ନୈନା ଦେବୀ ଓ ଶ୍ରୀ ଆନନ୍ଦପୁର ସାହିବ ଯାଇ ପୂଜାର୍ଚ୍ଚନା କରିବା ପରେ ଘରକୁ ଫେରିବାର ଥିଲା । ହେଲେ ଏହା ପୂର୍ବରୁ ଘଟିଗଲା ଦୁର୍ଘଟଣା । ପୀର ନିଗାହ ମନ୍ଦିରଠାରୁ ଅଳ୍ପ ଦୂରରେ ଡ୍ରାଇଭର ଟ୍ରକ୍ର ନିୟନ୍ତ୍ରଣ ହରାଇଥିଲେ । ଫଳରେ ଗାଡ଼ିଟି ରାସ୍ତାକଡ଼ ଖାଇକୁ ଖସିପଡ଼ିଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତଙ୍କ ବୟାନ ରେକର୍ଡ କରିଛି । ବ୍ୟକ୍ତିଗତ ଗାଡ଼ି ଓ ୧୦୮ ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ହସ୍ପିଟାଲ ପଠାଯାଇଛି । ପୀର ନିଗାହ ରୁଟ୍ରେ ମାଲବାହୀ ଯାନରେ ଶ୍ରଦ୍ଧାଳୁଙ୍କ ଯାତ୍ରାକୁ ନେଇ ଏହା ପ୍ରଥମ ଦୁର୍ଘଟଣା ନୁହେଁ । ପ୍ରାୟ ସପ୍ତାହକ ତଳେ ମଧ୍ୟ ଏକ ମାଲବାହୀ ଯାନ ଓଲଟିଥିବା ଜଣାପଡ଼ିଛି । ବାରମ୍ବାର ଏଭଳି ଘଟଣା ସତ୍ତ୍ୱେ ମାଲବାହୀ ଯାନରେ ଶ୍ରଦ୍ଧାଳୁଙ୍କ ଯାତାୟାତକୁ ରୋକାଯାଇପାରୁନଥିବାରୁ ପୁଲିସ ଓ ପ୍ରଶାସନର କାର୍ଯ୍ୟକାରିତା ଉପରେ ଏବେ ପ୍ରଶ୍ନ ଉଠିଛି ।














Leave a Reply