ପୁରୀ: ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥି ଅବସରରେ ଶ୍ରୀମନ୍ଦିରରେ ପାଳିତ ହେବ ଶ୍ରୀକୃଷ୍ଣ ଜନ୍ମ ନୀତି। ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଏହାକୁ ନଜରରେ ରଖି ଶୁକ୍ରବାର ସନ୍ଧ୍ୟା ଧୂପ ଭୋଗ ଛେକ ଆସିବା ପରେ ଶ୍ରୀକୃଷ୍ଣ ଜନ୍ମ ନୀତି ଶେଷ ହେବା ପର୍ଯ୍ୟନ୍ତ, ଆପାତତଃ ସନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଜନ୍ମାଷ୍ଟମୀ ପୂର୍ବରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ନୀତି। ସନ୍ଧ୍ୟା ଧୂପ ଓ ପ୍ରସାଦ ଲାଗି ପରେ ତିନି ଠାକୁରଙ୍କୁ ବନ୍ଦାପନା କରାଯାଇଥିଲା। ଏହି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଗୋଟିଏ ଅଧିକ ବନ୍ଦାପନା ହୋଇଥିଲା, ଯାହାକୁ ଶ୍ରୀମନ୍ଦିର ପରିଭାଷାରେ ‘ଗର୍ଭୋଦକ ବନ୍ଦାପନା’ କୁହାଯାଏ।
ଗର୍ଭଯନ୍ତ୍ରଣା ଉପଶମ ଏବଂ ସହଜ ପ୍ରସବ ପାଇଁ ମହାପ୍ରଭୁଙ୍କୁ ଜେଉଟ ଭୋଗ ଲାଗି କରାଯାଇଥିଲା। ଏହି ନୀତିରେ ଶ୍ରୀଜଗନ୍ନାଥଙ୍କୁ ଦେବକୀ ରୂପେ ଜ୍ଞାନ କରି ଭୋଗ ଓ ବନ୍ଦାପନା କରାଯାଏ। ପରଦିନ ମହାପ୍ରଭୁ ଶ୍ରୀକୃଷ୍ଣ ରୂପେ ନିଜକୁ ଜନ୍ମ ଦିଅନ୍ତି ବୋଲି ପରମ୍ପରା ରହିଛି। ଏହି ନୀତିରେ ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ଶ୍ରୀମଦନମୋହନ ମଧ୍ୟ ଭାଗ ନିଅନ୍ତି। ସେ ହିଁ ଶ୍ରୀକୃଷ୍ଣ ରୂପରେ ଜନ୍ମ ନିଅନ୍ତି।
ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ଆଣି ଶ୍ରୀମଦନମୋହନଙ୍କୁ ପ୍ରଦାନ କରାଯାଏ। ଆଜ୍ଞାମାଳ ପ୍ରଦାନ କରି ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ ପାଇଁ ଆଜ୍ଞା ପ୍ରାର୍ଥନା କରାଯାଏ। ଏହାପରେ ଅନ୍ୟାନ୍ୟ ନୀତିକାନ୍ତି ଆଗକୁ ବଢ଼ିଥାଏ। ସୋମବାର ଜନ୍ମାଷ୍ଟମୀ ଦିନ ମହାଜନ ସେବକ ରୁପା ଥାଳିରେ ଶ୍ରୀକୃଷ୍ଣଙ୍କୁ ଦେବକୀ ଓ ବସୁଦେବଙ୍କ ସହ ଜଗମୋହନ ଦେଇ ସରସ୍ୱତୀ ମନ୍ଦିର ନିକଟ ଯମୁନା ନଦୀ ତଟକୁ ବିଜେ କରାଇବେ। ସେଠାରେ ପୂଜାପଣ୍ଡା ସେବକଙ୍କ ଦ୍ୱାରା ନାଭିକଟା ନୀତି ସମ୍ପନ୍ନ କରାଯିବ। ଜନ୍ମାଷ୍ଟମୀ ଅବସରରେ ଶ୍ରୀମନ୍ଦିରର ଏହି ସ୍ୱତନ୍ତ୍ର ନୀତିକାନ୍ତିକୁ ନେଇ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଦେଇଛି।













Leave a Reply