ଭଦ୍ରକ: ଗ୍ୟାସ୍ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଗଲା ତେଜରାତି ଦୋକାନ। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ଅଳ୍ପ ସମୟ ମଧ୍ୟରେ ଦୋକାନରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା। ଦୋକାନ ଭିତରୁ କୌଣସି ସାମଗ୍ରୀ ବାହାର କରିବା ସମ୍ଭବ ହୋଇନଥିଲା। ଭଦ୍ରକ ଜିଲ୍ଲା ଚାନ୍ଦବାଲିର ସୋମପୁର ଛକରେ ଏହି ଅଘଟଣ ଘଟିଛି।
ସୂଚନା ଅନୁସାରେ, ସୋମପୁର ଛକରେ ଥିବା ଶିବ ପ୍ରସାଦ ସାହୁଙ୍କ ତେଜରାତି ଦୋକାନରେ ଗ୍ୟାସ୍ ଟାଙ୍କି ଫାଟିବା ପରେ ନିଆଁ ଲାଗିଯାଇଥିଲା। ଚାହୁଁଚାହୁଁ ନିଆଁ ଦୋକାନ ସାରା ବ୍ୟାପି ଯାଇଥିଲା। ନିଆଁର ତୀବ୍ରତା ଯୋଗୁଁ ଦୋକାନରେ ଥିବା ସାମଗ୍ରୀଗୁଡ଼ିକୁ ବାହାର କରିବା ପାଇଁ ସୁଯୋଗ ମିଳିନଥିଲା।
ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ପ୍ରୟାସ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଅଗ୍ନିଶମ ବିଭାଗ ନିଆଁ ଲିଭାଇବା ବେଳକୁ ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇସାରିଥିଲା। ଏହି ଅଗ୍ନିକାଣ୍ଡ ଯୋଗୁଁ ଦୋକାନ ମାଲିକ ଶିବ ପ୍ରସାଦ ସାହୁଙ୍କର ବ୍ୟାପକ କ୍ଷତି ହୋଇଛି।












Leave a Reply