ବଡ଼ ବିଜୟ ସହିତ ଜୟ ଢୋଲକିଆ ହେଲେ ନୂଆପଡ଼ାର ନୂଆ ନେତା ।

ଅକ୍ଷର ବ୍ୟୁରୋ: ବଡ଼ ବିଜୟ ସହିତ ଜୟ ଢୋଲକିଆ ହେଲେ ନୂଆପଡ଼ାର ନୂଆ ନେତା । ଜୟ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ଘାସିରାମ ମାଝୀଙ୍କଠାରୁ ୮୨ ହଜାର ୯୧୧ ଭୋଟ ବ୍ୟବଧାନରେ ଆଗୁଆ ରହି ବିଜୟୀ ହୋଇଛନ୍ତି । ଜୟଙ୍କୁ ୧ ଲକ୍ଷ ୨୨ ହଜାର ୮୯୮ ଭୋଟ ମିଳିଥିବା ବେଳେ ଘାସିରାମଙ୍କୁ ୩୯ ହଜାର ୯୮୭ ଏବଂ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୮ ହଜାର ୧୧ ଖଣ୍ଡ ଭୋଟ ମିଳିଛି । ନୂଆପଡ଼ା ନୂଆ ବିଜୟ ରେକର୍ଡ଼ ରାଜ୍ୟରେ ଦେଢ଼ ବର୍ଷର ବିଜେପି ସରକାରର ସ୍ଥିତିକୁ ବେଶ ମଜଭୁତ କରିବ । ଏହା ସହ ମୋହନ ମାଝୀଙ୍କ ନେତୃତ୍ୱରେ ଚାଲିଥିବା ସରକାରର ତୃଣମୂଳ ସ୍ତରରେ ସଫଳତା ପହଁଚିବାର ବାର୍ତ୍ତା ସାରା ରାଜ୍ୟକୁ ଯିବ ।

ଏହି ନିର୍ବାଚନର ସବୁଠାରୁ ବଡ଼ ସମ୍ମାନ ଓ ସ୍ୱୀକୃତି ମୋହନ ମାଝୀଙ୍କୁ ଯିବ । ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଉପନିର୍ବାଚନରେ ମୁଁହାମୁଁହି ଲଢେଇରେ ବାହାରିଥିଲେ । ତାଙ୍କ ଜନସଭା ଓ ରୋଡ୍‌ ଶୋ’ରେ ଅଦ୍ଭୂତପୂର୍ବ ଜନ ସମାଗମ ଦେଖିବାକୁ ମିଳିଥିଲା । ମୋହନ ସିଧାସିଧା ବିଜେଡ଼ି ଓ କଂଗ୍ରେସକୁ ରାଜନୈତିକ ଟାର୍ଗେଟ କରି ନିଜେ ନିଜ ଉପରେ ରିସ୍କ ନେବା ଭଳି ପରିସ୍ଥିତିକୁ ଆସିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମୋହନଙ୍କ ପ୍ରତି ଥିବା ସମର୍ଥନ ଓ ତାଙ୍କୁ ହାତରେ ବାଛି ମୁଖ୍ୟମନ୍ତ୍ରୀ କରିବା କେତେ ଠିକ ଭୁଲର ପ୍ରଶ୍ନ ଉଠାଇଥିବା ନେତୃତ୍ୱ ଓ ବିଶେଷଜ୍ଞଙ୍କୁ ନୂଆପଡ଼ା ନିର୍ବାଚନ ଫଳାଫଳ ଚୁପ କରିବା ପାଇଁ ଯଥେଷ୍ଟ । ଗତ ଦେଢ଼ ବର୍ଷର ମୋହନଙ୍କ ସରକାରର ସମାଲୋଚକଙ୍କୁ ସିଧା ସିଧା ପ୍ରତ୍ୟୁତ୍ତର ନ ଦେଇ ମୁଖ୍ୟମନ୍ତ୍ରୀ ଆରମ୍ଭରୁ ନୂଆପଡ଼ା ବିଜୟର ଗୋଟିଚାଳନା କରି ତାଙ୍କ ରାଜନୈତିକ ପରିପକ୍ୱତାର ପ୍ରମାଣ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)