ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବଡ଼ ମୋଡ଼, ହାଇକୋର୍ଟରୁ ଝଟକା ପରେ ଆତ୍ମସମର୍ପଣ କଲେ ବିଦ୍ୟାଭାରତୀ

ଅକ୍ଷର ବ୍ୟୁରୋ: ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ବଡ଼ ଅପଡେଟ୍ । ଦୀର୍ଘ ଦିନର ଆଇନଗତ ଲଢ଼େଇ ପରେ ଶେଷରେ ପାରଳାଖେମୁଣ୍ଡି SDJM କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା । ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍ ପିଟିସନ୍ (SLP) ଖାରଜ ହେବା ପରେ ଓଡ଼ିଶା ହାଇକୋର୍ଟରୁ ମଧ୍ୟ ଆଗୁଆ ଜାମିନ ମିଳିନଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ସେ ନିମ୍ନ ଅଦାଲତରେ ହାଜର ହୋଇଛନ୍ତି । ଏହାପରେ ତାଙ୍କ ଗିରଫଦାରୀ ଓ ଜାମିନ ନେଇ ଆଇନଗତ ପ୍ରକ୍ରିୟା ଉପରେ ନଜର ରହିଛି ।

ସୂଚନା ଅନୁସାରେ, ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏହାକୁ ଖାରଜ କରିଦେଇଥିଲେ । ଜଷ୍ଟିସ୍ ବୀରଭଦ୍ର ନରସିଂହଙ୍କ ଏକକ ଖଣ୍ଡପୀଠ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି ନିମ୍ନ ଅଦାଲତରେ ହାଜର ହେବାକୁ କହିଥିଲେ । ଏହାପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ସ୍ପେଶାଲ ଲିଭ୍ ପିଟିସନ୍‌କୁ ଖାରଜ କରିଥିଲେ । ଫଳରେ ଆଇନଗତ ବିକଳ୍ପ ଶେଷ ହେବା ପରେ ବିଦ୍ୟାଭାରତୀ ପାରଳାଖେମୁଣ୍ଡି SDJM କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ।

୨୦୨୧ ଜୁଲାଇରେ ଘଟିଥିବା ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଜୁଲାଇ ୧୨ ତାରିଖ ରାତିରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ACF ସୌମ୍ୟରଞ୍ଜନ ମହାପାତ୍ର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ପରଦିନ ଅର୍ଥାତ୍ ଜୁଲାଇ ୧୩ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିଲା ।

ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ । ଏନେଇ ସେ ନିଜ ବୋହୂ ବିଦ୍ୟାଭାରତୀ ପଣ୍ଡା, ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ନାମରେ ଏଫ୍‌ଆଇଆର୍ ଦାଖଲ କରିଥିଲେ । ଏହି ମାମଲାରେ ବିଦ୍ୟାଭାରତୀଙ୍କ ଆତ୍ମସମର୍ପଣ ପରେ ଆଗାମୀ ଆଇନଗତ ପ୍ରକ୍ରିୟା କେଉଁ ମୋଡ଼ ନେବ, ତାହା ଉପରେ ଏବେ ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial