ପଦ୍ମାବତୀ: ଗ୍ରାମାଞ୍ଚଳରେ ଆର୍ଥିକ ସାକ୍ଷରତା ବୃଦ୍ଧି ସହ ବ୍ୟାଙ୍କିଙ୍ଗ ସେବାର ସମ୍ପ୍ରସାରଣ ଏବଂ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ସୁଫଳ ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ପଦ୍ମାବତୀ ଗ୍ରାମ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ହୋଇଛି ଏକ ମେଗା RBI-PNB ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସାଚୁରେସନ୍ ଶିବିର। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ର ମିଳିତ ସହଯୋଗରେ ଆୟୋଜିତ ଏହି ଶିବିରକୁ PNB ପଦ୍ମାବତୀ ଶାଖାର ଶାଖା ପ୍ରବନ୍ଧକ ଲୋକନାଥ ବେହେରାଙ୍କ ନେତୃତ୍ୱରେ ସୁଚାରୁରୂପେ ପରିଚାଳନା କରାଯାଇଥିଲା। ସୁରକ୍ଷିତ ବ୍ୟାଙ୍କିଙ୍ଗ, ଆର୍ଥିକ ସଚେତନତା ଓ ଗ୍ରାହକଙ୍କ ଆର୍ଥିକ ସଶକ୍ତୀକରଣ ଉପରେ ଏହି ଶିବିରରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଜେନେରାଲ ମ୍ୟାନେଜର (DGM) ମଧୁକର ଆନନ୍ଦ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ରହ୍ମପୁର ସର୍କଲ ଅଫିସର ସର୍କଲ ହେଡ୍ ପ୍ରତାପ କୁମାର ବୈରିଗଞ୍ଜନ ଯୋଗଦେଇଥିଲେ। ମୁଖ୍ୟ ଅତିଥି ମଧୁକର ଆନନ୍ଦ ନିଜ ଅଭିଭାଷଣରେ ଆର୍ଥିକ ସାକ୍ଷରତାର ଗୁରୁତ୍ୱ, ସଚେତନ ଆର୍ଥିକ ନିଷ୍ପତ୍ତି ଗ୍ରହଣ ଓ ସୁରକ୍ଷିତ ବ୍ୟାଙ୍କିଙ୍ଗ ଅଭ୍ୟାସ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY), ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (PMSBY) ଏବଂ ଅଟଳ ପେନସନ ଯୋଜନା (APY)ର ଉଦ୍ଦେଶ୍ୟ, ଉପକାରିତା ଓ ନାମ ପଞ୍ଜୀକରଣ ପ୍ରକ୍ରିୟା ବିଷୟରେ ଲୋକଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ।
ସେହିପରି PNB ବ୍ରହ୍ମପୁର ସର୍କଲ ହେଡ୍ ପ୍ରତାପ କୁମାର ବୈରିଗଞ୍ଜନ ଗ୍ରାହକମାନଙ୍କୁ ଉନ୍ନତ ଓ ସୁବିଧାଜନକ ବ୍ୟାଙ୍କିଙ୍ଗ ସେବା ଯୋଗାଇଦେବା ପାଇଁ ବ୍ୟାଙ୍କର ପ୍ରତିବଦ୍ଧତା ଦୋହରାଇଥିଲେ। ବିଶେଷକରି ଗ୍ରାହକଙ୍କ ଦୁଆରମୁହଁରେ ବ୍ୟାଙ୍କିଙ୍ଗ ସେବା (Doorstep Banking), ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ରି-କେୱାଇସି (Re-KYC) ଅନୁପାଳନ, ଡିଜିଟାଲ ବ୍ୟାଙ୍କିଙ୍ଗର ସୁରକ୍ଷିତ ବ୍ୟବହାର ଏବଂ ଅନଲାଇନ୍ ଠକେଇରୁ ସୁରକ୍ଷା ଭଳି ବିଷୟରେ ଗ୍ରାହକଙ୍କୁ ସଚେତନ କରିବା ଉପରେ ସେ ଜୋର୍ ଦେଇଥିଲେ।
ଏହି ଶିବିରର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ଗ୍ରାହକଙ୍କ ରି-କେୱାଇସି ପ୍ରକ୍ରିୟାକୁ ସହଜ ଓ ତ୍ୱରାନ୍ୱିତ କରିବା। ଏଥିରେ PNB ପଦ୍ମାବତୀ ଶାଖାର ଡେପୁଟି ମ୍ୟାନେଜର ଇମତିୟାଜ ଖାନଙ୍କ ସମେତ ଶାଖା କର୍ମଚାରୀ ମିଥୁନ ହାତୀ, ପ୍ରତାପ ମୁଦୁଲି ଓ ପଞ୍ଚାନନ ସାହୁ ସକ୍ରିୟ ସହଯୋଗ କରିଥିଲେ। ଏହାଦ୍ୱାରା ଗ୍ରାମାଞ୍ଚଳର ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ସେବାକୁ ଅଧିକ ସୁଗମ କରିବା ସହ ଆବଶ୍ୟକ ଦସ୍ତାବିଜ ଓ ଔପଚାରିକତା ସମ୍ପନ୍ନ କରିବାରେ ସହାୟତା ମିଳିଥିଲା। ଏଥିସହ PNB ବ୍ରହ୍ମପୁର ସର୍କଲ ଅଫିସର ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଥିଲେ। ସର୍କଲ ଅଫିସର ସିନିୟର ମ୍ୟାନେଜର ଅଂଶୁମାନ ସାହୁ ଓ ସରୋଜ ପାତ୍ରଙ୍କ ସମେତ ମ୍ୟାନେଜର ମୁରଲୀ ରାଓ, ରଞ୍ଜନ ପ୍ରଧାନ, ରାହୁଲ ରାନ୍ତା ଓ ଆଶୀର୍ବାଦ ମହାପାତ୍ର ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଘରକୁ ଘର ଯାଇ ଲୋକଙ୍କୁ ବ୍ୟାଙ୍କିଙ୍ଗ ସେବା ଓ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ସଚେତନ କରିଥିଲେ। ଏଥିସହ ଆବଶ୍ୟକ ଗ୍ରାହକଙ୍କ ରି-କେୱାଇସି ପ୍ରକ୍ରିୟା ମଧ୍ୟ ସମ୍ପନ୍ନ କରିଥିଲେ।
ସମଗ୍ର କାର୍ଯ୍ୟକ୍ରମର ସଫଳ ରୂପାୟନରେ PNB ପଦ୍ମାବତୀ ଶାଖା ପ୍ରବନ୍ଧକ ଲୋକନାଥ ବେହେରାଙ୍କ ସମନ୍ୱୟ, ନେତୃତ୍ୱ ଓ ଶାଖାର ସମସ୍ତ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ବିଶେଷ ଭାବେ ପ୍ରଶଂସନୀୟ ହୋଇଥିଲା। ଗ୍ରାମାଞ୍ଚଳରେ ଆର୍ଥିକ ସାକ୍ଷରତାର ପ୍ରସାର, ସରକାରୀ ସାମାଜିକ ସୁରକ୍ଷା ଯୋଜନାର ବ୍ୟାପକ ପ୍ରଚାର ଏବଂ ବ୍ୟାଙ୍କିଙ୍ଗ ସେବାରୁ ବଞ୍ଚିତ ଲୋକଙ୍କୁ ଆର୍ଥିକ ବ୍ୟବସ୍ଥାର ମୁଖ୍ୟଧାରାରେ ସାମିଲ କରିବା ଦିଗରେ ଏହି ମେଗା ଶିବିର ଏକ ଉଲ୍ଲେଖନୀୟ ପଦକ୍ଷେପ ସାବ୍ୟସ୍ତ ହୋଇଛି।













Leave a Reply