ରାୟଗଡ଼ା: ବହୁଚର୍ଚ୍ଚିତ ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ବଡ଼ ମୋଡ଼। ଜେଲ୍ ଗଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ସେ ରାୟଗଡ଼ା SDJM କୋର୍ଟରେ ଆତ୍ମସମର୍ପଣ କରିଥିଲେ। ତେବେ ତାଙ୍କ ଜାମିନ ଆବେଦନକୁ ମାଜିଷ୍ଟ୍ରେଟ୍ ଖାରଜ କରିବା ପରେ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ୭୬ ବର୍ଷୀୟ ଭାସ୍କର ରାଓଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ତାଙ୍କୁ ବିଷମକଟକ ଉପକାରାଗାରରେ ରଖାଯାଇଛି।
ସୂଚନା ଅନୁସାରେ, ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ଚଳିତ ବର୍ଷ ଜାନୁଆରି ୨୨ ତାରିଖରେ ଓଡ଼ିଶା ହାଇକୋର୍ଟ ଅଭିଯୁକ୍ତମାନଙ୍କୁ ଆଗୁଆ ଜାମିନ ପ୍ରଦାନ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ମାମଲାର ମୂଳ ଅଭିଯୋଗକାରୀ ଜଗନ୍ନାଥ ମାଣ୍ଡାଙ୍ଗି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ଆଗୁଆ ଜାମିନ ଆଦେଶକୁ ଖାରଜ କରିଦେଇଥିଲେ। ଏଥିସହ ସମସ୍ତ ଅଭିଯୁକ୍ତଙ୍କୁ ଦୁଇ ସପ୍ତାହ ମଧ୍ୟରେ ସମ୍ପୃକ୍ତ ଉପଖଣ୍ଡ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ଅନୁସାରେ ଭାସ୍କର ରାଓ ଆଜି କୋର୍ଟରେ ହାଜର ହୋଇ ଆତ୍ମସମର୍ପଣ କରିଥିଲେ। ଏହି ମାମଲାରେ ତାଙ୍କ ସହ ଅନ୍ୟ ଅଭିଯୁକ୍ତ ଇପିଲି ସନ୍ୟାସି ରାଜୁ, ଆଦିନାରାୟଣ ରାଓ, କେ. କ୍ରିଷ୍ଣା ରାଓ ଏବଂ ପି. ଦିଲୀପ କୁମାର ମଧ୍ୟ ଆତ୍ମସମର୍ପଣ ପରେ ଜେଲ୍ ହାଜତକୁ ଯାଇଛନ୍ତି। ଅନ୍ୟପଟେ ଭାସ୍କର ରାଓଙ୍କ ଓକିଲ ନବକୁମାର କଣ୍ଟା କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ତାଙ୍କ ମହକିଲ ଆତ୍ମସମର୍ପଣ କରିଛନ୍ତି। ଖୁବ୍ଶୀଘ୍ର ଉଚ୍ଚ ନ୍ୟାୟାଳୟରେ ଜାମିନ ପାଇଁ ଆବେଦନ କରାଯିବ।
ମାମଲାର ବିବରଣୀ ଅନୁସାରେ, ଭାଗିରଥି ମାଣ୍ଡାଙ୍ଗି ହତ୍ୟା ଘଟଣାରେ ୨୦୧୦ ଡିସେମ୍ବର ୨୩ ତାରିଖରେ ରାୟଗଡ଼ା ଥାନାରେ କେସ୍ ନମ୍ବର ୨୦୮/୨୦୧୦ ଅନୁଯାୟୀ ଏତଲା ରୁଜୁ ହୋଇଥିଲା। ଏହି ମାମଲାରେ ଆଇପିସିର ଧାରା ୧୨୦-ବି (ଅପରାଧିକ ଷଡ଼ଯନ୍ତ୍ର), ୩୦୨ (ହତ୍ୟା), ୨୦୧ (ପ୍ରମାଣ ନଷ୍ଟ), ୩୬୪ (ଅପହରଣ) ଏବଂ ୩୪ ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ ଏହାର ତଦନ୍ତ ଭାର କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ୨୦୧୧ ଏପ୍ରିଲ ୫ ତାରିଖରେ କଟକ ସିଆଇଡି-ସିବି ଥାନାରେ ଏହି ମାମଲା କେସ୍ ନମ୍ବର ୧୦/୨୦୧୧ ଭାବେ ପୁନଃ ପଞ୍ଜୀକୃତ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ରାୟଗଡ଼ା ଟ୍ରକ୍ ମାଲିକ ସଂଘର ପ୍ରାୟ ୬୦ କୋଟି ଟଙ୍କା ହେରଫେର ମାମଲା ଏବଂ ୮୦ କୋଟି ଟଙ୍କା ହଡ଼ପ ଅଭିଯୋଗକୁ ନେଇ ମଧ୍ୟ ପୂର୍ବତନ ସାଂସଦ ଭାସ୍କର ରାଓ ଆର୍ଥିକ ଅପରାଧ ଶାଖା (EOW)ର ତଦନ୍ତ ପରିସରକୁ ଆସିଥିବା ଖବର ସାମ୍ନାକୁ ଆସିଛି। ତେବେ ଏହା ଭାଗିରଥି ହତ୍ୟା ମାମଲାଠାରୁ ପୃଥକ୍ ତଦନ୍ତ ପ୍ରସଙ୍ଗ।













Leave a Reply