ଅକ୍ଷର ବ୍ୟୁରୋ: ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ । ଆଜି ମା’ସରସ୍ୱତୀଙ୍କ ଆରାଧନାର ଦିନ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା’ସରସ୍ୱତୀ । ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା ପାଳନ କରାଯାଇଥାଏ । ମା’ଙ୍କ ଆଗମନକୁ ନେଇ ସବୁଠି ଉତ୍ସାହ । ମା’ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଅତି ଭକ୍ତିର ସହ ପୂଜା ପାଳନ କରିଥାନ୍ତି । ମା’ ସରସ୍ୱତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଏ । ବିଦ୍ୟା, ବୁଦ୍ଧିର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କୁ ଆଜି ପୂଜା କରିଥାନ୍ତି ବିଦ୍ୟାର୍ଥୀ । ବସନ୍ତ ଋତୁରେ ଏହି ପର୍ବ ପଡୁଥିବାରୁ ଏହାକୁ ବସନ୍ତ ପଞ୍ଚମୀ କୁହାଯାଏ । ଆଜିର ଦିନ ଅତ୍ୟନ୍ତ ଶୁଭ ହୋଇଥିବାରୁ ଏହି ଦିନରେ ବିଭିନ୍ନ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ ।
ଅନ୍ୟପଟେ ଆଜି ପବିତ୍ର ଶ୍ରୀପଞ୍ଚମୀରେ ଅନୁକୂଳ ହେବ ରଥକାଠ । ରଥଯାତ୍ରା ପାଇଁ ବିଧି ମୁତାବକ ତିନିଟି କାଠକୁ ପୂଜା କରାଯିବ । ରଥ ନିର୍ମାଣ ସୃଜନୀ କାର୍ଯ୍ୟ ହୋଇଥିବାରୁ ମା’ ସରସ୍ବତୀଙ୍କ ଆବାହନ କରାଯିବ । ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଇ ରଥଯାତ୍ରା ନିର୍ବିଘ୍ନ ସମାପନ ପାଇଁ ପ୍ରାର୍ଥନା କରାଯିବ । ରଥ ସଂହିତା ଅନୁଯାୟୀ, ତିନି ରଥ ନିର୍ମାଣ ପାଇଁ ୪୨୬ ଘଣ୍ଡ ଧଉରା, ୩୬୪ ଖଣ୍ଡ ଅସନ, ୭୨ ଖଣ୍ଡ ଫାଶି ଓ ୩ ଖଣ୍ଡ ଶିମିଳି କାଠ, ଏହିପରି ମୋଟ୍ ୮୬୫ ଖଣ୍ଡ କାଠ ଆବଶ୍ୟକ ପଡ଼େ । ଗତବର୍ଷ ରଥଯାତ୍ରାରେ ୪୭ ଖଣ୍ଡ କାଠ ବଳକା ରହିଥିବା ବେଳେ ଆଉ ମୋଟ ୮୧୮ ଖଣ୍ଡ କାଠ ଆବଶ୍ୟକ ରହିଛି । ରଥ ନିର୍ମାଣ ନିମନ୍ତେ ପ୍ରଥମ ପର୍ୟ୍ୟାୟ କାଠ ବି ଆସି ପୁରୀରେ ପହଞ୍ଚ ସାରିଛି । ଆଜି ରଥକାଠ ଅନୁକୂଳ ପରେ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ନୀତି ଅନୁଷ୍ଠିତ ହେବ ।












Leave a Reply