ବଡ଼ବିଲରେ ମୋବାଇଲ୍ ଲୁଟରୁ ଜମତାରା ସାଇବର୍ ଠକେଇର ଲିଙ୍କ୍; କିଙ୍ଗପିନ୍ ମହିଳା ସମେତ ୬ ଗିରଫ

ଅକ୍ଷର ବ୍ୟୁରୋ: କେନ୍ଦୁଝର ଜିଲ୍ଲାର ଖଣି ଅଞ୍ଚଳ ବଡ଼ବିଲରେ ଘଟିଥିବା ଏକ ସାଧାରଣ ମୋବାଇଲ୍ ଲୁଟ୍ ଘଟଣାର ତଦନ୍ତ କରି ବଡ଼ବିଲ ଥାନା ପୋଲିସ ଏକ ବଡ଼ ଆନ୍ତଃରାଜ୍ୟ ସାଇବର୍ ଠକେଇ ରାକେଟ୍ ର ପର୍ଦ୍ଦାଫାସ କରିଛି। ତଦନ୍ତ ସମୟରେ ଝାଡ଼ଖଣ୍ଡର ଜମତାରା ସାଇବର୍ ଗ୍ୟାଙ୍ଗ ସହ ଏହି ରାକେଟର ସିଧାସଳଖ ଲିଙ୍କ୍ ସାମ୍ନାକୁ ଆସିଛି।

ଏହି ମାମଲାରେ ପୋଲିସ କିଙ୍ଗପିନ୍ ମହିଳା ଚନ୍ଦ୍ରାବତୀ ପାତ୍ରଙ୍କ ସମେତ ୫ ଜଣ ମୋବାଇଲ୍ ଲୁଟେରାଙ୍କୁ ଗିରଫ କରିଛି। ଠାକୁରାଣୀ ଅଞ୍ଚଳରେ ଚଢ଼ାଉ ବେଳେ ଚନ୍ଦ୍ରାବତୀଙ୍କ ନିକଟରୁ ୧୨ଟି ମୋବାଇଲ୍ ଫୋନ୍, ୨୬ଟି ବ୍ୟାଙ୍କ ପାସବୁକ୍, ୨୮ଟି ସିମ୍ କାର୍ଡ, ୩ଟି ତଲୱାର ଏବଂ ଗୋଟିଏ ଛୁରୀ ଜବତ କରାଯାଇଛି।

ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଯୋଡ଼ା ଓ ବଡ଼ବିଲ ଖଣି ଅଞ୍ଚଳରେ ଏହି ଗ୍ୟାଙ୍ଗ ବିଶେଷ ଭାବେ ଟ୍ରକ୍ ଡ୍ରାଇଭରମାନଙ୍କୁ ଟାର୍ଗେଟ୍ କରୁଥିଲେ। ସକାଳ ସମୟରେ ଡ୍ରାଇଭରମାନେ ଜଙ୍ଗଲ ନିକଟରେ ଗାଡ଼ି ରଖି ଶୌଚ ପାଇଁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ କିମ୍ବା ଆକ୍ରମଣ କରି ସେମାନଙ୍କଠାରୁ ନଗଦ ଟଙ୍କା ଓ ମୋବାଇଲ୍ ଫୋନ୍ ଲୁଟି ନେଉଥିଲେ।

ଲୁଟ୍ ହୋଇଥିବା ମୋବାଇଲ୍ ଫୋନ୍‌ଗୁଡ଼ିକୁ ଲୁଟେରାମାନେ ୫ରୁ ୬ ହଜାର ଟଙ୍କାରେ କିଙ୍ଗପିନ୍ ଚନ୍ଦ୍ରାବତୀ ପାତ୍ରଙ୍କୁ ବିକ୍ରି କରୁଥିଲେ। ଏହାପରେ ଚନ୍ଦ୍ରାବତୀ ଲୁଟ୍ ଫୋନ୍‌ରୁ PhonePe ଓ Google Pay ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରି ଝାଡ଼ଖଣ୍ଡର ଜମତାରା ସାଇବର୍ ଠକମାନଙ୍କୁ ପଠାଉଥିଲେ। ସେଠାରୁ ସାଇବର୍ ଠକମାନେ ପୀଡ଼ିତଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦେଉଥିଲେ।

ତଦନ୍ତରେ ଆହୁରି ଜଣାପଡ଼ିଛି ଯେ, ପ୍ରତ୍ୟେକ ସଫଳ ସାଇବର୍ ଠକେଇ ପରେ ଲୁଟ୍ ହୋଇଥିବା ଟଙ୍କାର ୨୦ରୁ ୩୦ ପ୍ରତିଶତ କମିଶନ୍ ଚନ୍ଦ୍ରାବତୀ ପାତ୍ରଙ୍କୁ ମିଳୁଥିଲା। ଏହି ଚକ୍ର ଦୀର୍ଘଦିନ ଧରି ଖଣି ଅଞ୍ଚଳରେ ସକ୍ରିୟ ଥିବା ପୋଲିସ ସନ୍ଦେହ କରୁଛି। ବଡ଼ବିଲ ଥାନା ପୋଲିସ ଏବେ ଏହି ଆନ୍ତଃରାଜ୍ୟ ନେଟୱର୍କର ଅନ୍ୟ ସଦସ୍ୟଙ୍କୁ ଚିହ୍ନଟ କରିବା ସହ ଜମତାରା ସାଇବର୍ ଗ୍ୟାଙ୍ଗ ସହ ଏହାର ଆର୍ଥିକ କାରବାରର ଖୋଳତାଡ଼ ଜାରି ରଖିଛି। ଏହି ସଫଳ ଅପରେସନ୍‌କୁ ଖଣି ଅଞ୍ଚଳରେ ସକ୍ରିୟ ଥିବା ସାଇବର୍ ଅପରାଧୀଙ୍କ ବିରୋଧରେ ଏକ ବଡ଼ ସଫଳତା ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)