ଜଳବନ୍ଦୀ ମୁକାବିଲା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ! ଡ୍ରେନ୍‌ କଡ଼ରେ ଲାଗିବ ସୁରକ୍ଷା ବ୍ୟାରିକେଡ୍‌, ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ହାଇ ଆଲର୍ଟରେ

ଅକ୍ଷର ବ୍ୟୁରୋ: ଲଗାଣ ବର୍ଷା ଏବଂ ସହରାଞ୍ଚଳରେ ସୃଷ୍ଟି ହେଉଥିବା ଜଳବନ୍ଦୀ ସ୍ଥିତିକୁ ଦୃଷ୍ଟିରେ ରଖି ଆକ୍ସନ୍‌ ମୋଡ୍‌ରେ ରହିଛନ୍ତି ରାଜ୍ୟ ସରକାର। ସହରବାସୀଙ୍କ ସୁରକ୍ଷା ସହ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକାଧିକ ପଦକ୍ଷେପ ନିଆଯାଇଛି। ବିଶେଷ କରି ବଡ଼ ବଡ଼ ଡ୍ରେନ୍‌ କଡ଼ରେ ସୁରକ୍ଷା ବ୍ୟାରିକେଡ୍‌ ବ୍ୟବସ୍ଥା କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ କହିବା ଅନୁସାରେ, ସହରାଞ୍ଚଳରେ ଥିବା ବିଭିନ୍ନ ନାଳ ଓ ଡ୍ରେନ୍‌ର ମରାମତି, ପଙ୍କ ଉଦ୍ଧାର ଏବଂ ସଫେଇ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାଦ୍ୱାରା ବର୍ଷା ପାଣିର ଶୀଘ୍ର ନିଷ୍କାସନ ସମ୍ଭବ ହେବ ବୋଲି ବିଭାଗ ଆଶା ପ୍ରକାଶ କରିଛି। ବର୍ଷା ଋତୁରେ ବାରମ୍ବାର ଜଳବନ୍ଦୀ ସମସ୍ୟା ଦେଖାଯାଉଥିବା ଭୁବନେଶ୍ୱର-କଟକ ଟ୍ୱିନ୍ ସିଟି ଏବଂ ପୁରୀ ପାଇଁ ସ୍ୱତନ୍ତ୍ର ରୋଡ୍‌ମ୍ୟାପ ପ୍ରସ୍ତୁତ କରାଯାଇଛି। ଯେଉଁ ସ୍ଥାନରେ ବର୍ଷା ଜଳ ଜମିବ, ସେଠାରେ ନଗର ଉନ୍ନୟନ ବିଭାଗର କର୍ମଚାରୀଙ୍କ ସହ ଅଗ୍ନିଶମ ବିଭାଗର ଟିମ୍‌ ମିଳିତ ଭାବେ ଜଳ ନିଷ୍କାସନ କାର୍ଯ୍ୟରେ ନିୟୋଜିତ ହେବେ।

ସେହିପରି ରାଜ୍ୟର ସମସ୍ତ ସହରାଞ୍ଚଳ ନିକାୟକୁ ଜଳବନ୍ଦୀ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ଏବଂ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକ ବର୍ଷାର ସମ୍ଭାବନାକୁ ଦେଖି ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ହାଇ ଆଲର୍ଟରେ ରହିବାକୁ କୁହାଯାଇଛି। ଏଥିସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ମାଧ୍ୟମରେ ବର୍ଷା ଓ ଜଳବନ୍ଦୀ ସ୍ଥିତି ଉପରେ ଲଗାତାର ନଜର ରଖାଯିବ। କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ ତୁରନ୍ତ ଉଦ୍ଧାର ଓ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନଗର ଉନ୍ନୟନ ବିଭାଗ ସ୍ପଷ୍ଟ କରିଛି। ବର୍ଷା ଋତୁରେ ସହରାଞ୍ଚଳରେ ଜନସାଧାରଣଙ୍କ ସୁରକ୍ଷା, ଜଳ ନିଷ୍କାସନ ବ୍ୟବସ୍ଥାର ସୁଧାର ଏବଂ ଜଳବନ୍ଦୀ ସମସ୍ୟାର ତ୍ୱରିତ ସମାଧାନକୁ ନେଇ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)