ନିଶାମୁକ୍ତ ଭାରତ ଗଠନ ପାଇଁ ଯୁବବର୍ଗଙ୍କୁ ମୋଦୀଙ୍କ ଆହ୍ୱାନ

ଅକ୍ଷର ବ୍ୟୁରୋ: ବିକଶିତ ଭାରତ ଗଠନ ପାଇଁ ଦେଶକୁ ନିଶାମୁକ୍ତ ରଖିବା ଆବଶ୍ୟକ । ବିଶେଷକରି ଦେଶର ଯୁବପିଢ଼ି ନିଶାଦ୍ରବ୍ୟଠାରୁ ଦୂରେଇ ରହି ନିଶାମୁକ୍ତି ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବା ଦରକାର । ‘ମନ୍ କି ବାତ୍’ର ୧୩୭ତମ ସଂସ୍କରଣରେ ଦେଶବାସୀଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କ ସଂକଳ୍ପ । ନିଶାମୁକ୍ତି କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କ ଅଧିକ ଅଂଶଗ୍ରହଣ ଏହି ଅଭିଯାନକୁ ଆହୁରି ଶକ୍ତିଶାଳୀ କରୁଛି । ଯୁବବର୍ଗଙ୍କୁ ନିଶାଦ୍ରବ୍ୟଠାରୁ ଦୂରେଇ ରଖିବା ପାଇଁ ବିଭିନ୍ନ ଭାଷାରେ ସଚେତନତାମୂଳକ ବିଷୟବସ୍ତୁ ସୃଷ୍ଟି କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି । ମନ୍ କି ବାତ୍‌ରେ ଅଗଷ୍ଟ ମାସର ବିଶେଷତା ଉପରେ ମଧ୍ୟ ଆଲୋକପାତ କରିଛନ୍ତି ମୋଦୀ । ଜାତୀୟ ହସ୍ତତନ୍ତ ଦିବସ, ଭାରତ ଛାଡ଼ ଆନ୍ଦୋଳନର ବାର୍ଷିକୀ ଏବଂ ବିଭାଜନର ସ୍ମୃତିଚାରଣ ଦିବସ ସହ ସ୍ୱାଧୀନତା ଦିବସ ଓ ଜାତୀୟ ମହାକାଶ ଦିବସ ଦେଶବାସୀଙ୍କ ମନରେ ଗର୍ବର ଭାବନା ସୃଷ୍ଟି କରେ ବୋଲି ସେ କହିଛନ୍ତି ।

‘ହର ଘର ତିରଙ୍ଗା’ ଅଭିଯାନ ଏହି ଭାବନାକୁ ଆହୁରି ମଜବୁତ କରିଛି । ‘ସୂର୍ଯ୍ୟପଥ ତିରଙ୍ଗା’ ମାଧ୍ୟମରେ ୮ କୋଟିରୁ ଅଧିକ ତ୍ରିରଙ୍ଗା ସେଲଫି ଅପଲୋଡ୍ ହୋଇଥିବା କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଏହା ସହ ‘ବନ୍ଦେ ମାତରମ୍‌’ର ୧୫୦ତମ ବାର୍ଷିକୀ ଚଳିତ ବର୍ଷକୁ ଆହୁରି ସ୍ୱତନ୍ତ୍ର କରିଛି ବୋଲି ସେ କହିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ‘bharatrajya.com’ର ପ୍ରତିଷ୍ଠାତା ମୁମ୍ବାଇର କୃଷ୍ଣ ଶେଷାଦ୍ରିଙ୍କ ସହ କଥା ହୋଇଛନ୍ତି । ୱେବସାଇଟ୍‌ରେ ଯେକୌଣସି ବର୍ଷ ଚୟନ କରି ସେ ସମୟରେ ଭାରତର କେଉଁ ଅଞ୍ଚଳରେ କିଏ ଶାସନ କରୁଥିଲେ, ତାହା ଜାଣିହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଇତିହାସ ଛାତ୍ରଛାତ୍ରୀଙ୍କ ପାଇଁ ଏହି ପଦକ୍ଷେପ ଉପଯୋଗୀ ହେବା ସହ ଭାରତର ଇତିହାସ ଏବଂ ବିଭିନ୍ନ ସମୟର ଶାସକଙ୍କ ବିଷୟରେ ସହଜ ଓ ଆକର୍ଷଣୀୟ ଭାବେ ଜାଣିବାର ସୁଯୋଗ ଦେବ ବୋଲି ସେ କହିଛନ୍ତି । ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ସଫଳତାର ଉଦାହରଣ ଦେଇଛନ୍ତି । ଯୋଜନାର ପ୍ରାୟ ୪୬ ପ୍ରତିଶତ ହିତାଧିକାରୀ ମହିଳା, ଅର୍ଥାତ୍ ଦେଶର ପ୍ରାୟ ୩୫ ଲକ୍ଷ ମହିଳା ଏହି ପଦକ୍ଷେପ ଜରିଆରେ ନିଜ ବ୍ୟବସାୟ ବଢ଼ାଉଛନ୍ତି ବୋଲି ସେ କହିଛନ୍ତି ।

ଗାଜିଆବାଦର ବବିତା ଶର୍ମା ଓ ବେଙ୍ଗାଲୁରୁର ଟି.ଏସ୍. ନିଙ୍ଗାମ୍ମାଙ୍କ ଉଦାହରଣ ଦେଇ ସେ କହିଛନ୍ତି, ସ୍ୱନିଧି ଯୋଜନା ମାଧ୍ୟମରେ ମିଳିଥିବା ଆର୍ଥିକ ସହାୟତା ଛୋଟ ବ୍ୟବସାୟକୁ ଆଗକୁ ବଢ଼ାଇବାରେ ସହାୟକ ହୋଇଛି । ବବିତା ଶର୍ମା ପୂଜା ସାମଗ୍ରୀ ବିକ୍ରି ପାଇଁ ଏକ ଛୋଟ ଷ୍ଟଲ୍ ଚଳାଉଥିବା ବେଳେ ନିଙ୍ଗାମ୍ମା ଓ ତାଙ୍କ ସ୍ୱାମୀ ଇଡଲି-ଦୋସା ବିକ୍ରି କରି ବ୍ୟବସାୟ ଆରମ୍ଭ କରିଥିଲେ । ସ୍ୱନିଧି ଯୋଜନାର ସହାୟତା ସେମାନଙ୍କ ବ୍ୟବସାୟ ବିସ୍ତାରରେ ପୁଞ୍ଜି ଯୋଗାଇଥିଲା । ସ୍ୱଚ୍ଛତାକୁ ନେଇ ମଧ୍ୟ ଦେଶବାସୀଙ୍କୁ ସଚେତନ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରତ୍ୟେକ ବ୍ୟକ୍ତି ନିଜ ଆଖପାଖ ପରିବେଶକୁ ସଫା ରଖିବାରେ ପ୍ରତିବଦ୍ଧ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଉତ୍ତରପ୍ରଦେଶର ‘କ୍ଲିନ୍-ଅପ୍ ପଟୱାଇ’ ଯୁବଗୋଷ୍ଠୀ ବିଭିନ୍ନ ପୋଖରୀ ଓ ସାର୍ବଜନୀନ ସ୍ଥାନ ସଫା କରୁଥିବା ଉଦାହରଣ ଦେଇଛନ୍ତି ମୋଦୀ । ଚଳିତ ବର୍ଷର ଶ୍ରୀ ଅମରନାଥ ଯାତ୍ରାରେ ମଧ୍ୟ ହଜାର ହଜାର ସଫେଇ କର୍ମଚାରୀ କଠିନ ପରିସ୍ଥିତିରେ ଦିନରାତି ସେବା ଯୋଗାଇଥିବା କହିଛନ୍ତି । ଅମରନାଥ ଯାତ୍ରା ସମୟରେ ଆଉ ଏକ ଅନନ୍ୟ ପରୀକ୍ଷଣ ହୋଇଥିଲା । ଘୋଡ଼ା ଓ ଖଚରର ଗୋବରକୁ ବାୟୋଗ୍ୟାସରେ ପରିଣତ କରାଯାଇ ଏହି ସ୍ୱଚ୍ଛ ଶକ୍ତିକୁ ଆଲୋକ ଜଳାଇବାରେ ବ୍ୟବହାର କରାଯାଇଥିଲା । ଆଗାମୀ ପର୍ବପର୍ବାଣୀ ସମୟରେ ଦେଶରେ ନିର୍ମିତ ସାମଗ୍ରୀ କିଣିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ‘ଭୋକାଲ୍ ଫର୍ ଲୋକାଲ୍’ ମନ୍ତ୍ରକୁ ଆପଣାଇ ଭାରତକୁ ଆତ୍ମନିର୍ଭର କରିବାରେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବା ଦରକାର ବୋଲି ସେ କହିଛନ୍ତି । ନିଶାମୁକ୍ତ ଯୁବପିଢ଼ି, ସ୍ୱଚ୍ଛ ପରିବେଶ, ସଶକ୍ତ ମହିଳା ଏବଂ ସ୍ୱଦେଶୀ ସାମଗ୍ରୀ ପ୍ରତି ଗୁରୁତ୍ୱ—୧୩୭ତମ ‘ମନ୍ କି ବାତ୍’ରେ ଏହି ସବୁ ପ୍ରସଙ୍ଗ ଉପରେ ଦେଶବାସୀଙ୍କୁ ନୂଆ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial