ଅକ୍ଷର ବ୍ୟୁରୋ: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶନିବାର ସଂଧ୍ୟାରେ ଭୁବନେଶ୍ୱର ବରମୁଣ୍ଡା ଓଭରବ୍ରିଜରେ ୨ ବାଇକକୁ ପିଟିଲା ଟ୍ରକ । ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଯୁବତୀ ଅଛନ୍ତି । ଏଥିସହ ଜଣେ ଗୁରୁତର ହୋଇଛନ୍ତି । ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଛି । ଦୁର୍ଘଟଣା ପରେ ଓଭରବ୍ରିଜରେ ଟ୍ରାଫିକ ଜାମ୍ ହୋଇଛି । ଟ୍ରାଫିକ ପୋଲିସ ଏବଂ ଆଇଆରବି ଫୋର୍ସ ପହଞ୍ଚି ଭିଡ ନିୟନ୍ତ୍ରଣ କରୁଛନ୍ତି ।
ଭୁବନେଶ୍ୱର ରସୁଲଗଡ଼ ପଟୁ ଗୋଟିଏ ସ୍କୁଟି ଏବଂ ଅନ୍ୟ ଏକ ବାଇକ୍ରେ ୪ଜଣ ଆସୁଥିଲେ । ଫାୟାର ଷ୍ଟେସନ ସମ୍ମୁଖ ଓଭର ବ୍ରିଜ୍ ଉପରେ ପଛପଟରୁ ଆସୁଥିବା ଏକ ଟ୍ରକ୍ ଉଭୟ ବାଇକ୍ ଏବଂ ସ୍କୁଟିକୁ ଧକ୍କା ଦେଇଥିଲା । ଟ୍ରକଟି ୨ଟି ଗାଡିକୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ ବାଇକ ଓ ସ୍କୁଟି ଆରୋହୀ ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ପରେ ଟ୍ରକଟି ଦ୍ରୁତ ଗତିରେ ଫେରାର ହୋଇ ଯାଇଛି । ଅଗ୍ନିଶମ ବାହିନୀ ଏବଂ ପୁଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ସେଠାରେ ଗୁରୁତରଙ୍କର ଚିକିତ୍ସା ଜାରି ରହିଛି । ତେବେ ଦୁର୍ଘଟଣା ପରେ ଓଭରବ୍ରିଜ ଉପରେ ଟ୍ରାଫିକ ଜାମ ହୋଇଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତାୟତ ଠପ୍ ରହିଥିଲା । ଟ୍ରାଫିକ ପୋଲିସ ଭିଡ ନିୟନ୍ତ୍ରଣ କରିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା । ତେବେ ମୃତକମାନଙ୍କ ପରିଚୟ ଏବେ ସୁଦ୍ଧା ମିଳି ପାରି ନାହିଁ ।












Leave a Reply