କଟକ ଜିଲ୍ଲା ଭାତପଡା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଓଭରଟେକ୍ କରିବା ବେଳେ ଭାରସାମ୍ୟ ହରାଇ ବିଲ ଭିତରକୁ ଖସିଲା ଦୁଇଟି ଯାତ୍ରୀବାହୀ ବସ୍ ।

ଅକ୍ଷର ବ୍ୟୁରୋ: କଟକ ଜିଲ୍ଲା ସାଲେପୁର ଥାନା ଭାତପଡା ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ବସ ମଧ୍ୟରେ ଘଟିଛି ଏହି ଦୁର୍ଘଟଣା । କୁହାଯାଉଛି ଦୁଇ ବସ୍‌ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଯୋଗୁଁ ଏହିଭଳି ଦୁର୍ଘଟଣା ଘଟିଛି । ରାସ୍ତା ମଝିରେ ଚାଲିଥିଲା ପ୍ରତିଯୋଗିତା । ଆଗକୁ ଯିବାର ଅହେତୁକ ନିଶା ଶେଷରେ ପାଲଟିଲା କାଳ । ଦ୍ରୁତ ଗତିରେ ଓଭରଟେକ୍ କରିବା ବେଳେ ଭାରସାମ୍ୟ ହରାଇ ଗୋଟିଏ କି ଦୁଇଟି ନୁହେଁ, ବରଂ ଦୁଇ ଦୁଇଟି ଯାତ୍ରୀବାହୀ ବସ୍ ସିଧା ବିଲ ଭିତରକୁ ପଶିଯାଇଛି । ଉଭୟ ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିବା ଜଣାପଡିଛି । ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୧୦ ଗୁରୁତରଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ମହାଲକ୍ଷ୍ମୀ ଓ ପପୁ ନାମକ ଦୁଇଟି ବସ୍ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିଲେ । ଓଭର ଟେକ୍ ହିଁ ବିପଦର କାରଣ ହୋଇଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, କେନ୍ଦ୍ରାପଡାରୁ କଟକ ଆସୁଥିଲା ୨ ଯାତ୍ରୀବାହୀ ବସ୍ । ଉଭୟ ବସ୍ ପରସ୍ପରକୁ ଓଭରଟେକ ବେଳେ ଭାରସାମ୍ୟା ହରାଇ ରାସ୍ତାକଡରେ ବିଲକୁ ପଶିଯାଇଛି । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଉଭୟ ବସର କାଚ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଛନ୍ତି । ସୌଭାଗ୍ୟବଶତଃ ଏକ ବଡ଼ ବିପତ୍ତି ଟଳି ଯାଇଥିଲେ ମଧ୍ୟ, ଘରୋଇ ବସ୍ ମାନଙ୍କର ଏହି ମରଣାନ୍ତକ ପ୍ରତିଯୋଗିତା ଏବେ ସାଧାରଣ ଯାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)