ଅକ୍ଷର ବ୍ୟୁରୋ: ଓଡ଼ିଶାରେ ଦୁର୍ନୀତି ବିରୋଧରେ ଭିଜିଲାନ୍ସର ବଡ଼ ଆକ୍ସନ। ଲାଞ୍ଚ ନେଉଥିବାବେଳେ ଜୟପୁର ମାଇନ୍ସ ବିଭାଗର ଡେପୁଟି ଡିରେକ୍ଟର ସତ୍ୟଜିତ ରାଉତଙ୍କୁ ଭିଜିଲାନ୍ସ ଟିମ୍ ହାତେନାତ ଧରି ଗିରଫ କରିଛି। ଏକ ବାଲି ଖାଦାନର ଲିଜ୍ ଅବଧି ବୃଦ୍ଧି କରିବା ପାଇଁ ସେ ମୋଟା ଅଙ୍କର ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କୁ କାବୁ କରିଥିଲା।
ଗିରଫ ପରେ ଭିଜିଲାନ୍ସ ତଦନ୍ତକୁ ଆହୁରି ଜୋରଦାର କରି ସତ୍ୟଜିତ ରାଉତଙ୍କ ଆୟବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ ଆରମ୍ଭ କରିଛି। ଏହାର ଅଂଶସ୍ୱରୂପ ଏକକାଳୀନ ତାଙ୍କର ୩ଟି ଠିକଣାରେ ଚଢ଼ାଉ ଜାରି ରହିଛି। ରାୟଗଡ଼ାସ୍ଥିତ ବାସଭବନରେ ଚଢ଼ାଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ଅତିରିକ୍ତ ୨.୯ ଲକ୍ଷ ଟଙ୍କା ନଗଦ ଜବତ କରିଛନ୍ତି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୪.୯ ଲକ୍ଷ ଟଙ୍କା ଜବତ ହୋଇଛି।
ଏହାଛଡ଼ା ତାଙ୍କର ବ୍ୟାଙ୍କ ଆକାଉଣ୍ଟ, ଜମିଜମା ସମ୍ପର୍କିତ କାଗଜପତ୍ର, ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସହ ଅନ୍ୟାନ୍ୟ ଆର୍ଥିକ କାରବାରର ମଧ୍ୟ ଯାଞ୍ଚ କରାଯାଉଛି। ତଦନ୍ତ ଆଗକୁ ବଢ଼ିବା ସହ ଜବତ ଟଙ୍କା ଓ ଆୟବହିର୍ଭୂତ ସମ୍ପତ୍ତିର ପରିମାଣ ଆହୁରି ବଢ଼ିବାର ସମ୍ଭାବନା ଥିବା ସୂଚନା ମିଳିଛି। ଭିଜିଲାନ୍ସର ଏହି କାର୍ଯ୍ୟାନୁଷ୍ଠାନ ଖଣି ବିଭାଗରେ ଦୁର୍ନୀତି ବିରୋଧରେ ଏକ ବଡ଼ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି। ତଦନ୍ତ ଶେଷ ହେବା ପରେ ସତ୍ୟଜିତ ରାଉତଙ୍କ ଆୟବହିର୍ଭୂତ ସମ୍ପତ୍ତିର ପ୍ରକୃତ ପରିମାଣ ସାମ୍ନାକୁ ଆସିବ ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି।














Leave a Reply