ଅକ୍ଷର ବ୍ୟୁରୋ: ରାଜ୍ୟସଭା ନିର୍ବାଚନ ମତଦାନ ଜାରି । ଓଡ଼ିଶାର ୪ ଆସନ ପାଇଁ ୫ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଭୋଟିଂ । ପ୍ରଥମ ଦୁଇଟି ସିଟ୍ ଭାରତୀୟ ଜନତା ପାର୍ଟିର ବିଜୟ ନିଶ୍ଚିତ ଥିବା ବେଳେ ଗୋଟିଏ ଆସନ ବିଜୁ ଜନତା ଦଳର । ତେବେ ଚତୁର୍ଥ ଆସନ ପାଇଁ ଲଢ଼େଇ ଜୋରଦାର । ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଏବଂ ବିଜେଡି ଓ କଂଗ୍ରେସର ସମର୍ଥିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ମଧ୍ୟରେ କଡ଼ା ଟକ୍କର । ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ଚାଲିଛି ମତଦାନ । ହେଲେ ଏହାରି ଭିତରେ ବ୍ରହ୍ମଗିରି ବିଜେପି ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟକୁ ନେଇ ବିବାଦ ଦେଖା ଦେଇଛି । ବାଲଟ୍ ପେପରରେ ଓଭର ରାଇଟିଂ ପରେ ଦ୍ୱିତୀୟ ବାଲଟ ପେପର ଦାବି କରିବାକୁ ନେଇ ବିବାଦ ଉପୁଜିଛି ।
ସୂଚନା ଅନୁଯାୟୀ, ବିଜେପି ବିଧାୟିକା ଉପାସନା ମହାପାତ୍ର ରାଜ୍ୟସଭା ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ବିଧାନସଭାର ୫୪ନଂ ବୁଥରେ ପହଞ୍ଚିଥିଲେ । ନିଜ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ପ୍ରିଜାଇଡିଂ ଅଫିସରଙ୍କ ଠାରୁ ପ୍ରଥମ ବାଲଟ୍ ପେପର ଆଣିଥିଲେ । ମାତ୍ର ସେଥିରେ ଲେଖିବା ବେଳେ ଓଭର ରାଇଟିଂ କରିଦେଇଥିଲେ । ଭୋଟ୍ ନାକଚ୍ ହେବା ଭୟରେ ଆଉ ଏକ ବାଲଟ୍ ପେପର ଦାବି କରିଥିଲେ । ଯାହାକୁ ବିରୋଧ କରିଥିଲେ ଉଭୟ ବିଜେଡି ଏବଂ କଂଗ୍ରେସର ଏଜେଣ୍ଟ । ତାଙ୍କୁ କାହିଁକି ଦ୍ୱିତୀୟ ସୁଯୋଗ ଦିଆଗଲା ବୋଲି ପ୍ରଶ୍ନ କରିଥିଲେ ବିରୋଧୀ ଦଳ ମୁଖ୍ୟସଚେତକ ତଥା ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକା । ସେପଟେ ଉପାସନା ମହାପାତ୍ରଙ୍କ ଭୋଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ କହିଛନ୍ତି, ଉପାସନା ଦ୍ବିତୀୟ ଥର ଭୋଟ୍ ଦେବା ଅଗଣତାନ୍ତ୍ରିକ । ବେଆଇନ ଭାବେ ଭୋଟ୍ ଗ୍ରହଣ କରାଯାଇଛି । ଏହା ନିର୍ବାଚନୀ ନିୟମକୁ ଉଲ୍ଲଙ୍ଘନ କରୁଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।











Leave a Reply