NEET-UG ପୁନଃପରୀକ୍ଷାରେ ବାୟୋମେଟ୍ରିକ୍ ବାଧ୍ୟତାମୂଳକ: ଫିଙ୍ଗରପ୍ରିଣ୍ଟ କିମ୍ବା ଫେସିଆଲ୍ ଭେରିଫିକେସନ୍ ପରେ ମିଳିବ ହଲ୍‌କୁ ପ୍ରବେଶ

ଅକ୍ଷର ବ୍ୟୁରୋ: ଆସନ୍ତା ୨୧ ଜୁନ୍‌ରେ ହେବାକୁ ଥିବା NEET-UG ପୁନଃପରୀକ୍ଷାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ସୁରକ୍ଷିତ ଓ ନକଲ-ମୁକ୍ତ କରିବା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ନୂଆ ଏବଂ କଡ଼ା ନିର୍ଦ୍ଦେଶାବଳୀ ଜାରି କରିଛି। ଏଥର ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପୂର୍ବରୁ ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ‘ବାୟୋମେଟ୍ରିକ୍ ଭେରିଫିକେସନ୍ ବାଧ୍ୟତାମୂଳକ’ କରାଯାଇଛି। ଫିଙ୍ଗରପ୍ରିଣ୍ଟ କିମ୍ବା ଫେସିଆଲ୍ ରେକୋଗ୍ନିସନ୍ ମାଧ୍ୟମରେ ପ୍ରତ୍ୟେକ ପ୍ରାର୍ଥୀଙ୍କ ପରିଚୟ ଯାଞ୍ଚ କରାଯିବ।

NTA ପକ୍ଷରୁ କୁହାଯାଇଛି ଯେ, ପରୀକ୍ଷାର ଗାରିମା ଅକ୍ଷୁଣ୍ଣ ରଖିବା ସହିତ ଡମି ପ୍ରାର୍ଥୀ, ନକଲ ଓ ଅନ୍ୟାନ୍ୟ ଅସାଧୁ ଉପାୟକୁ ରୋକିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ସାଧାରଣ ସୁରକ୍ଷା ଯାଞ୍ଚ ଶେଷ ହେବା ପରେ ଏବଂ ପରୀକ୍ଷା ହଲ୍‌ରେ ପ୍ରବେଶ ପୂର୍ବରୁ ବାୟୋମେଟ୍ରିକ୍ ପ୍ରକ୍ରିୟା ସମ୍ପନ୍ନ କରାଯିବ।

ବାୟୋମେଟ୍ରିକ୍ ମ୍ୟାଚ୍ ନହେଲେ ମଧ୍ୟ ପରୀକ୍ଷା ଦେଇପାରିବେ

NTA ସ୍ପଷ୍ଟ କରିଛି ଯେ, ଯଦି କୌଣସି ପରୀକ୍ଷାର୍ଥୀଙ୍କ ବାୟୋମେଟ୍ରିକ୍ ଡାଟା ମ୍ୟାଚ୍ ନହୁଏ, ମେସିନ୍‌ରେ ତ୍ରୁଟି ଥାଏ, UIDAI କନେକ୍ଟିଭିଟି ସମସ୍ୟା ହୁଏ କିମ୍ବା ପ୍ରାର୍ଥୀଙ୍କ କୌଣସି ଶାରୀରିକ ଅକ୍ଷମତା ଥାଏ, ତେବେ ସେମାନଙ୍କୁ ପରୀକ୍ଷାରୁ ବଞ୍ଚିତ କରାଯିବ ନାହିଁ। ଏପରି ସ୍ଥିତିରେ ସମ୍ପୃକ୍ତ ପ୍ରାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ଏକ ଅଣ୍ଡରଟେକିଂ ଦାଖଲ କରିବାକୁ ପଡ଼ିବ। ସାଧାରଣ ପରୀକ୍ଷାର୍ଥୀ ପରୀକ୍ଷା ସମୟସୀମା ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ୧୫ ମିନିଟ୍ ପର୍ଯ୍ୟନ୍ତ ରହିବ | ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ପାଇଁ ସନ୍ଧ୍ୟା ୬ଟା ୨୦ ମିନିଟ୍ ପର୍ଯ୍ୟନ୍ତ ଅତିରିକ୍ତ ସମୟ ରହିବ |

NTA ପରୀକ୍ଷାର୍ଥୀମାନଙ୍କୁ କେନ୍ଦ୍ର କର୍ମଚାରୀଙ୍କ ସହ ପୂର୍ଣ୍ଣ ସହଯୋଗ କରିବାକୁ ଆହ୍ୱାନ କରିଛି। ବିନା ବୈଧ କାରଣରେ ବାୟୋମେଟ୍ରିକ୍ କିମ୍ବା ଯାଞ୍ଚ ପ୍ରକ୍ରିୟାକୁ ଅସ୍ୱୀକାର କଲେ ‘Public Examinations (Prevention of Unfair Means) Act, 2024’ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇପାରେ। ପରୀକ୍ଷା ସମ୍ପର୍କିତ କୌଣସି ସନ୍ଦେହ କିମ୍ବା ସମସ୍ୟା ଥିଲେ ପରୀକ୍ଷାର୍ଥୀମାନେ NTA ହେଲ୍ପଡେସ୍କ ନମ୍ବର 011-40759000 / 011-69227700 କିମ୍ବା ଇମେଲ୍ neetug2026@nta.ac.in ମାଧ୍ୟମରେ ଯୋଗାଯୋଗ କରିପାରିବେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)