ଅକ୍ଷର ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ଅଞ୍ଚଳରେ ପୁତୁରାର ଆକ୍ରମଣରେ ଦାଦାଙ୍କ ମୃତ୍ୟୁକୁ ନେଇ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି। ମୁଖ୍ୟ ଅଭିଯୁକ୍ତଙ୍କ ତୁରନ୍ତ ଗିରଫ ଦାବିରେ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ ଚାନ୍ଦୋଳ ଫାଣ୍ଡି ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ସୂଚନା ଅନୁଯାୟୀ, ଗତ ୫ ତାରିଖ ସନ୍ଧ୍ୟାରେ ଚାନ୍ଦୋଳ ନରଣପଡ଼ା ଗାଁରେ ପାରିବାରିକ ବିବାଦକୁ କେନ୍ଦ୍ର କରି ପୁତୁରା ଶାବଳରେ ନିଜ ଦାଦା ଶଶିକାନ୍ତ ଦାସଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରିଥିଲେ। ଗୁରୁତର ଆହତ ଶଶିକାନ୍ତଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଏବଂ ପରେ କଟକକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ଏହି ହୃଦୟବିଦାରକ ଆକ୍ରମଣର ସମ୍ପୂର୍ଣ୍ଣ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ସୂଚନା ମିଳିଛି। ଘଟଣା ପରେ ପୁଲିସ ତଦନ୍ତ ଆରମ୍ଭ କରି ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି, କିନ୍ତୁ ମୁଖ୍ୟ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ଥିବାରୁ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମୁଖ୍ୟ ଅଭିଯୁକ୍ତଙ୍କ ତୁରନ୍ତ ଗିରଫ ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ମୃତକଙ୍କ ପରିବାର ସଦସ୍ୟ ଓ ସ୍ଥାନୀୟ ବାସିନ୍ଦା ଚାନ୍ଦୋଳ ଫାଣ୍ଡି ଛକରେ ଧାରଣା ଦେବା ସହ ରାସ୍ତାରୋକ କରିଥିଲେ। ଫଳରେ କିଛି ସମୟ ପାଇଁ ଯାତାୟାତ ବ୍ୟାହତ ହୋଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।














Leave a Reply