୫ କୋଟିର ମାରିଜୁଆନା ରାକେଟ୍: ଜେଲ୍ ଗଲେ ୩ ଅଭିଯୁକ୍ତ, ମହିଳା ଲିଙ୍କ୍‌କୁ ନେଇ ତଦନ୍ତ ତୀବ୍ର; ଭୁବନେଶ୍ୱରରୁ ଧରାପଡ଼ିଲା ଆଉ ଜଣେ ମାଷ୍ଟରମାଇଣ୍ଡ

ଅକ୍ଷର ବ୍ୟୁରୋ: ପ୍ରାୟ ୫ କୋଟି ଟଙ୍କା ମୂଲ୍ୟର ମାରିଜୁଆନା ଜବତ ମାମଲାରେ ଗିରଫ ହୋଇଥିବା ୩ ଅଭିଯୁକ୍ତ ଏବେ ଜେଲ୍ ଯାଇଥିବା ବେଳେ, ଏହି ଆନ୍ତର୍ରାଜ୍ୟ ନିଶା କାରବାରର ଚେର କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି, ସେନେଇ ଡିଆରଆଇ (DRI) ତଦନ୍ତକୁ ଆହୁରି ଜୋରଦାର କରିଛି। ମାମଲାରେ ଏବେ ମହିଳା ଲିଙ୍କ୍‌ ସାମ୍ନାକୁ ଆସିଥିବା ବେଳେ, ଭୁବନେଶ୍ୱର ବିମାନବନ୍ଦର ନିକଟସ୍ଥ ଏକ ହୋଟେଲରୁ କେରଳର ୨୬ ବର୍ଷୀୟ ଯୁବକଙ୍କୁ ଆଉ ଜଣେ ମାଷ୍ଟରମାଇଣ୍ଡ ଭାବେ ଗିରଫ କରିଛି ଡିଆରଆଇ।

ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ, ଜବତ ହୋଇଥିବା ମାରିଜୁଆନାକୁ ଭୁବନେଶ୍ୱରର ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ବସ୍ ଯୋଗେ ବେଙ୍ଗାଲୁରୁ ପଠାଇବା ପାଇଁ ସମ୍ପୂର୍ଣ୍ଣ ଯୋଜନା ହୋଇଥିଲା। ଏହି କାରବାର ପାଇଁ ଅଗ୍ରିମ ଭାବେ ପ୍ରାୟ ୨ କୋଟି ଟଙ୍କା ପ୍ରଦାନ କରାଯାଇଥିବା ତଦନ୍ତରୁ ସୂଚନା ମିଳିଛି। ଏହା ସହ ଫୋନ୍‌ପେ ମାଧ୍ୟମରେ ଲକ୍ଷାଧିକ ଟଙ୍କାର ନେଣଦେଣ ହୋଇଥିବା ନେଇ ମଧ୍ୟ ଡିଜିଟାଲ୍ ଆର୍ଥିକ କାରବାରର ଖୋଳତାଡ଼ ଚାଲିଛି।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଫେରୁଥିବା ସମୟରେ ଦୁଇ ଅଭିଯୁକ୍ତଙ୍କୁ ପ୍ରାୟ ୫ କୋଟି ଟଙ୍କା ମୂଲ୍ୟର ମାରିଜୁଆନା ସହ ଡିଆରଆଇ ଗିରଫ କରିଥିଲା। ସେହି ଘଟଣାକୁ ଆଧାର କରି ତଦନ୍ତ ଆଗକୁ ବଢ଼ିବା ପରେ ଏବେ ନିଶା କାରବାରର ନୂଆ ନୂଆ ଲିଙ୍କ୍‌ ସାମ୍ନାକୁ ଆସୁଛି। ଏହି ମାମଲାରେ ପ୍ରଥମ ଥର ପାଇଁ ଓଡ଼ିଶା ଲିଙ୍କ୍‌ରେ ଜଣେ ଓଡ଼ିଆ ଯୁବକ ଗିରଫ ହୋଇଥିବାରୁ ନିଶା ନେଟୱର୍କର ଚେର ଓଡ଼ିଶା ପର୍ଯ୍ୟନ୍ତ ବ୍ୟାପିଥିବା ସନ୍ଦେହ ଜୋରଦାର ହୋଇଛି। ଡିଆରଆଇ ବର୍ତ୍ତମାନ ଏହି ରାକେଟ୍‌ରେ ସମ୍ପୃକ୍ତ ଅନ୍ୟ ସଦସ୍ୟ, ମହିଳା ଲିଙ୍କ୍‌, ଆର୍ଥିକ କାରବାର ଏବଂ ଆନ୍ତର୍ରାଜ୍ୟ ଚୋରାଚାଲାଣ ନେଟୱର୍କର ସମ୍ପୂର୍ଣ୍ଣ ଖୋଳତାଡ଼ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)