ଅକ୍ଷର ବ୍ୟୁରୋ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଣସର ଲୀଳାର ଆଜି ଏକାଦଶ ଦିନ ତଥା ଦଶମୀ ତିଥି। ଦଇତାପତି ସେବାୟତଙ୍କ ଗୁପ୍ତ ଉପଚାର ପରେ ଶ୍ରୀବିଗ୍ରହଙ୍କ ଶରୀରରୁ ଜ୍ୱରର ତାତି ଓହ୍ଲାଇଥିବା ବିଶ୍ୱାସ କରାଯାଏ। ଏହି ଅବସରରେ ଆଜି ମହାପ୍ରଭୁ ଶୟନ ଅବସ୍ଥାରୁ ଉଠି ‘ଚକାବିଜେ’ ନୀତିରେ ଚକା ଉପରେ ବିଜେ କରିବେ।
ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ, ସ୍ନାନପୂର୍ଣ୍ଣିମାରେ ମହାସ୍ନାନ ପରେ ଶ୍ରୀଜିଉ ଅସୁସ୍ଥ ହୋଇ ଅଣସର ଘରେ ବିରାଜମାନ ରହିଥାନ୍ତି। ଏହି ସମୟରେ ଦଇତାପତି ସେବାୟତମାନେ ଗୁପ୍ତ ନୀତି ଅନୁସାରେ ତାଙ୍କର ସେବା ଓ ଉପଚାର କରିଥାନ୍ତି। ଅଣସର ପଞ୍ଚମୀରେ ଫୁଲୁରୀ ତେଲ ଲାଗି ଏବଂ ପରବର୍ତ୍ତୀ ଚାରି ଦିନ ଓଷ ଲାଗି ନୀତି ସମ୍ପନ୍ନ ହେବା ପରେ ଦଶମୀ ତିଥିରେ ଶ୍ରୀଜିଉଙ୍କ ଚକାବିଜେ ନୀତି ଅନୁଷ୍ଠିତ ହୁଏ।
ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟ-ବିଜୟ ଦ୍ୱାର ବନ୍ଦ କରାଯିବ। ପରେ ବେହେରଣ ଦ୍ୱାର ଖୋଲାଯାଇ ଅନବସର ନୀତି ଆରମ୍ଭ ହେବ। ଦଇତାପତି ସେବାୟତମାନେ ଶ୍ରୀଜିଉଙ୍କୁ ଚକା ଉପରେ ବିଜେ କରାଇବେ। ଏହାପରେ ଚକଟା ଓ ପଣା ଭୋଗ ଲାଗି ହୋଇ ଦଶମୀ ନୀତି ସମ୍ପୂର୍ଣ୍ଣ ହେବ।
ଅନ୍ୟପଟେ ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟ ପରମ୍ପରାଗତ ଦଶମୂଳ ମୋଦକ ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦରେ ଜମା ଦେବେ। ଆସନ୍ତାକାଲି ଶ୍ରୀଜିଉ ଦଶମୂଳ ମୋଦକ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ଶ୍ରୀମନ୍ଦିରର ପ୍ରାଚୀନ ପରମ୍ପରାରେ ବିଶ୍ୱାସ ରହିଛି। ଏହାପରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଓ ରଥଯାତ୍ରା ପାଇଁ ନୀତିକାନ୍ତି ଆହୁରି ତ୍ୱରାନ୍ୱିତ ହେବ।












Leave a Reply