ରେମୁଣାରେ ଚାଞ୍ଚଲ୍ୟ: ଶୋଇବା ଘରୁ ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅକ୍ଷର ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରେମୁଣା ଏନଏସିର ୧୨ ନମ୍ବର ୱାର୍ଡ ଅଚ୍ୟୁତପୁର ଅଞ୍ଚଳରେ ଶନିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ନିଜ ଶୋଇବା ଘରୁ ଜଣେ ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବାରୁ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ମୃତ ଯୁବକ ହେଲେ ଅଚ୍ୟୁତପୁର ଗ୍ରାମର ଭାଗବତ ପରିଡ଼ାଙ୍କ ପୁଅ ହେମନ୍ତ ପରିଡ଼ା (୩୭)। ତାଙ୍କର ଦୁଇଜଣ ଝିଅ ରହିଛନ୍ତି, ଯେଉଁମାନଙ୍କ ବୟସ କ୍ରମେ ୯ ବର୍ଷ ଓ ୪ ବର୍ଷ। ପାରିବାରିକ କଳହ ଯୋଗୁଁ ତାଙ୍କ ସ୍ତ୍ରୀ ଦୁଇ ପିଲାଙ୍କୁ ନେଇ କିଛିଦିନ ଧରି ବାପଘରେ ରହୁଥିବା ସୂଚନା ମିଳିଛି। ଶନିବାର ସକାଳ ପ୍ରାୟ ୧୦ଟା ପର୍ଯ୍ୟନ୍ତ ହେମନ୍ତ ଘରର କବାଟ ନ ଖୋଲିବାରୁ ପରିବାର ସଦସ୍ୟଙ୍କ ସନ୍ଦେହ ହୋଇଥିଲା। ପରେ ଝରକା ପଟ ଦେଇ ଦେଖିବା ବେଳେ ସେ ନିଜ ଶୋଇବା ଘରର ଫ୍ୟାନରେ ଗାମୁଛାରେ ଝୁଲିଥିବା ଅବସ୍ଥାରେ ଥିବା ଜଣାପଡ଼ିଥିଲା। ଏହାପରେ ତୁରନ୍ତ ପୁଲିସକୁ ଖବର ଦିଆଯାଇଥିଲା।

ଖବର ପାଇ ଶିଳ୍ପାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲା। ପରେ ବ୍ୟବଚ୍ଛେଦ ପାଇଁ ଶବକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି। ହେମନ୍ତଙ୍କ ଅକାଳ ମୃତ୍ୟୁରେ ପରିବାର ସମେତ ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)