ଭୟଙ୍କର ସଡ଼କ ଦୁର୍ଘଟଣା! ନିୟନ୍ତ୍ରଣ ହରାଇ ବାରମ୍ବାର ଓଲଟିଲା ସ୍କର୍ପିଓ, ୨ ମୃତ-୨ ଗୁରୁତର; ଏୟାରବ୍ୟାଗ୍ ନ ଖୋଲିବାକୁ ନେଇ ଉଠିଲା ବଡ଼ ପ୍ରଶ୍ନ

ଅକ୍ଷର ବ୍ୟୁରୋ: ରାଜସ୍ଥାନର ଝୁନଝୁନୁ ଜିଲ୍ଲାରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ଦ୍ରୁତଗତିରେ ଯାଉଥିବା ଏକ ମହିନ୍ଦ୍ରା ସ୍କର୍ପିଓ ନିୟନ୍ତ୍ରଣ ହରାଇ ବାରମ୍ବାର ଓଲଟିବା ପରେ ଏକ ଗଛରେ ପିଟି ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଏବଂ ପରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଜୟପୁରକୁ ରେଫର କରାଯାଇଛି।

ସୂଚନା ଅନୁସାରେ, ମଙ୍ଗଳବାର ରାତି ପ୍ରାୟ ୨ଟା ସମୟରେ ଦ୍ରୁତଗତିରେ ଯାଉଥିବା ସ୍କର୍ପିଓଟି ହଠାତ୍ ନିୟନ୍ତ୍ରଣ ହରାଇ ରାସ୍ତାରେ ବାରମ୍ବାର ଓଲଟି ପଡ଼ିଥିଲା। ପରେ ଏହା ଏକ ବଡ଼ ଗଛରେ ଭୟଙ୍କର ଭାବେ ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ ଗାଡ଼ିଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା ଏବଂ ଦୁଇ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଓ ଉଦ୍ଧାରକାରୀ ଦଳ ଜେସିବି ସାହାଯ୍ୟରେ କ୍ଷତିଗ୍ରସ୍ତ ଗାଡ଼ିରୁ ମୃତକ ଓ ଆହତଙ୍କୁ ବାହାର କରିଥିଲେ। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଥିଲା। ଏହି ଘଟଣା ପରେ ଏକ ବଡ଼ ପ୍ରଶ୍ନ ସାମ୍ନାକୁ ଆସିଛି। ଏତେ ଭୟଙ୍କର ଧକ୍କା ସତ୍ତ୍ୱେ ଗାଡ଼ିର ଏୟାରବ୍ୟାଗ୍ ଖୋଲିନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକ ଓ ପରିବାର ସଦସ୍ୟଙ୍କ ମତରେ, ଯଦି ଏୟାରବ୍ୟାଗ୍ ସମୟରେ ଖୋଲିଥାନ୍ତା, ତେବେ ମୃତାହତଙ୍କ କ୍ଷତି କମିପାରିଥାନ୍ତା। ପୋଲିସ ଏହି ଦିଗକୁ ମଧ୍ୟ ତଦନ୍ତରେ ସାମିଲ କରିଛି।

ଉଲ୍ଲେଖଯୋଗ୍ୟ ଯେ, ଝୁନଝୁନୁରେ ଏହା ପ୍ରଥମ ଘଟଣା ନୁହେଁ। ଗତ ୨୦ ଜୁଲାଇରେ ମଧ୍ୟ ଏକ ସ୍କର୍ପିଓ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ମଧ୍ୟ ଗାଡ଼ିର ଏୟାରବ୍ୟାଗ୍ ଖୋଲିନଥିବା ଅଭିଯୋଗ ଉଠିଥିଲା। ଏହାକୁ ନେଇ ପଛଲା ୭ ଦିନ ଧରି ମହିନ୍ଦ୍ରା ଏଜେନ୍ସୀ ସାମ୍ନାରେ ପ୍ରଦର୍ଶନ ଚାଲିଥିବା ବେଳେ ପୁଣି ସମାନ ପ୍ରକାରର ଘଟଣା ଘଟିବା ଗାଡ଼ି ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି। ବର୍ତ୍ତମାନ ପୋଲିସ ଦୁର୍ଘଟଣାର ପ୍ରକୃତ କାରଣ, ଗାଡ଼ିର ଯାନ୍ତ୍ରିକ ତ୍ରୁଟି ଏବଂ ଏୟାରବ୍ୟାଗ୍ କାହିଁକି କାମ କଲା ନାହିଁ, ସେନେଇ ବିସ୍ତୃତ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial