ପୋଖରୀକୁ ନେଇ ଦୁଇ ଗାଁ ମୁହାଁମୁହିଁ, ମାରପିଟରେ ୭ ଆହତ

ଅକ୍ଷର ବ୍ୟୁରୋ: ପୋଖରୀ ବ୍ୟବହାରକୁ ନେଇ ଦୁଇ ଗାଁ ମଧ୍ୟରେ ତେଜିଲା ବିବାଦ। ଶେଷରେ ଏହା ଉଗ୍ର ରୂପ ନେଇ ଘଟିଛି ବଡ଼ ଧରଣର ଗଣ୍ଡଗୋଳ। ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ଉତ୍ତରଣ ମଠ ସାହିରେ ଗାଁ ପୋଖରୀକୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ମାରପିଟ ହୋଇଛି। ଏଥିରେ ଉଭୟ ପକ୍ଷରୁ ୭ ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଉତ୍ତରଣ ମଠ ସାହିର ଗାଁ ପୋଖରୀ ବ୍ୟବହାରକୁ ନେଇ ଦୀର୍ଘଦିନ ଧରି ଦୁଇ ଗାଁ ମଧ୍ୟରେ ବିବାଦ ଲାଗି ରହିଥିଲା। ଆଜି ସକାଳେ କୌଣସି କାରଣକୁ ନେଇ ଉଭୟ ପକ୍ଷ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା। ପରେ ସ୍ଥିତି ହଠାତ୍‌ ବିଗିଡ଼ିବା ସହ ମାରପିଟ ଆରମ୍ଭ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅଭିଯୋଗ ଅନୁସାରେ, ଗଣ୍ଡଗୋଳ ସମୟରେ ପଥର, ଲାଠି ଓ ବାଡ଼ି ବ୍ୟବହାର ହୋଇଥିଲା। ଏଥିରେ ଉଭୟ ପକ୍ଷର ୭ ଜଣ ଆହତ ହୋଇଛନ୍ତି।

ଘଟଣା ପରେ ଉତ୍ତରଣ ମଠ ସାହିରେ ଉତ୍ତେଜନା ଦେଖାଦେଇଛି। ଖବର ପାଇ ଚନ୍ଦନପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଏପର୍ଯ୍ୟନ୍ତ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବେଳେ ପୁଲିସ ନିଜଆଡୁ ଘଟଣାର ତଦନ୍ତ ଆରମ୍ଭ କରିଛି। ଗଣ୍ଡଗୋଳର ପ୍ରକୃତ କାରଣ ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ ଥିଲେ, ସେନେଇ ଖୋଳତାଡ଼ ଚାଲିଛି। ମାରପିଟରେ ଆହତ ୭ ଜଣଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଡାକ୍ତରଙ୍କ ସୂଚନା ଅନୁସାରେ ଆହତଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ତେବେ ଗାଁରେ ପୁଣି ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ, ସେଥିପାଇଁ ପୁଲିସ ପକ୍ଷରୁ ସତର୍କତା ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial