ଗହ୍ମାପୂର୍ଣ୍ଣିମାରେ ତୁଳସୀ କ୍ଷେତ୍ର ଚଳଚଞ୍ଚଳ: ପ୍ରଭୁ ବଳଦେବଜୀଉଙ୍କ ଜନ୍ମୋତ୍ସବ, ଲାଗିବ ୧ ଲକ୍ଷ ତୁଳସୀ ପତ୍ର

କେନ୍ଦ୍ରାପଡ଼ା: ଆଜି ପବିତ୍ର ଗହ୍ମାପୂର୍ଣ୍ଣିମା। ରକ୍ଷାବନ୍ଧନ ସହ ତୁଳସୀ କ୍ଷେତ୍ରର ଆରାଧ୍ୟ ପ୍ରଭୁ ବଳଦେବଜୀଉଙ୍କ ପବିତ୍ର ଜନ୍ମୋତ୍ସବ ପାଇଁ ଚଳଚଞ୍ଚଳ ହୋଇଉଠିଛି ତୁଳସୀ କ୍ଷେତ୍ର। ପ୍ରଭୁଙ୍କ ଜନ୍ମୋତ୍ସବକୁ ନେଇ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତିର ଆୟୋଜନ କରାଯାଇଛି। ପାରମ୍ପରିକ ନୀତିକାନ୍ତି ସହ ପ୍ରଭୁଙ୍କ ନିକଟରେ ଏକ ଲକ୍ଷ ତୁଳସୀ ପତ୍ର ଅର୍ପଣ କରାଯିବାକୁ ଥିବାବେଳେ ଯଜ୍ଞରେ ପ୍ରାୟ ତିନି ଲକ୍ଷ ଆହୁତି ପ୍ରଦାନର କାର୍ଯ୍ୟକ୍ରମ ରହିଛି।

ଗହ୍ମାପୂର୍ଣ୍ଣିମା, ରକ୍ଷାବନ୍ଧନ ଓ ପ୍ରଭୁ ବଳଦେବଜୀଉଙ୍କ ଜନ୍ମୋତ୍ସବ ଏକାଠି ପଡ଼ିଥିବାରୁ ତୁଳସୀ କ୍ଷେତ୍ରରେ ଭକ୍ତଙ୍କ ଭିଡ଼ ବଢ଼ିଛି। ହଜାର ହଜାର ଭକ୍ତ ପ୍ରଭୁଙ୍କ ଦର୍ଶନ ପାଇଁ ତୁଳସୀ କ୍ଷେତ୍ରରେ ପହଞ୍ଚୁଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ରହିଛି ଏକ ବିଶେଷ ପରମ୍ପରା। ପୁରୀ ଶ୍ରୀମନ୍ଦିରରୁ ଆସିଥିବା ସ୍ୱତନ୍ତ୍ର ରାକ୍ଷୀ ପ୍ରଭୁ ବଳଦେବଜୀଉ ଓ ପ୍ରଭୁ ଜଗନ୍ନାଥଙ୍କୁ ବନ୍ଧାଯିବ। ଭାଇ-ଭାଇଙ୍କ ମଧ୍ୟରେ ଥିବା ସ୍ନେହ, ଭାତୃତ୍ୱ ଓ ଆତ୍ମୀୟତାର ପ୍ରତୀକ ଭାବେ ଏହି ପରମ୍ପରା ପାଳିତ ହୋଇଆସୁଛି। ପ୍ରଭୁ ବଳଦେବଜୀଉଙ୍କ ଜନ୍ମୋତ୍ସବକୁ ନେଇ ସମଗ୍ର ତୁଳସୀ କ୍ଷେତ୍ରରେ ଏବେ ଭକ୍ତି ଓ ଆଧ୍ୟାତ୍ମିକତାର ମାହୋଲ। ଜନ୍ମୋତ୍ସବକୁ ଶୃଙ୍ଖଳିତ ଓ ସୁରୁଖୁରୁରେ ସମ୍ପନ୍ନ କରିବା ସହ ଭକ୍ତଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ତୁଳସୀ କ୍ଷେତ୍ରରେ ଭକ୍ତିର ଉତ୍ସବ, ପ୍ରଭୁ ବଳଦେବଜୀଉଙ୍କ ଜନ୍ମୋତ୍ସବର ଉତ୍ସାହ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial