ଭାପୁର: ଆଉ ବ୍ୟାଙ୍କ କାମ ପାଇଁ ଦୂରଦୂରାନ୍ତକୁ ଦୌଡ଼ିବାକୁ ପଡ଼ିବନି। ଗୋଟିଏ ସ୍ଥାନରେ ମିଳିବ ୫ଟି ବ୍ୟାଙ୍କର ବିଭିନ୍ନ ସେବା। ଗ୍ରାହକଙ୍କ ରି-କେୱାଇସିଠାରୁ ଆରମ୍ଭ କରି ଆଧାର ସଂଯୋଗ, ନୋମିନି ଯୋଡ଼ିବା, ବୀମା ଓ ପେନସନ୍ ଯୋଜନାରେ ପଞ୍ଜୀକରଣ ପର୍ଯ୍ୟନ୍ତ ମିଳିବ ସୁବିଧା। ଏଥିପାଇଁ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅନ୍ତର୍ଗତ ପଦ୍ମାବତୀ ଗ୍ରାମ ପଞ୍ଚାୟତରେ ଆସନ୍ତା ନଭେମ୍ବର ୧୦ ତାରିଖ ସୋମବାର ଦିନ ଏକ ସ୍ୱତନ୍ତ୍ର ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପରିପୂର୍ତ୍ତି ଶିବିର (Financial Inclusion Saturation Camp) ଆୟୋଜିତ ହେବ। ପୂର୍ବାହ୍ନ ୧୦ଟାରେ ପଦ୍ମାବତୀ ଗ୍ରାମ ପଞ୍ଚାୟତର ତାରିଣୀ ମନ୍ଦିର ନିକଟରେ ଏହି ଶିବିର ଆରମ୍ଭ ହେବ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ପକ୍ଷରୁ ଏହାର ଆୟୋଜନ କରାଯାଉଥିବା ବେଳେ ପଦ୍ମାବତୀ ଶାଖା ପରିଚାଳକ ଲୋକନାଥ ବେହେରା ଏନେଇ ସୂଚନା ଦେଇଛନ୍ତି।
ଏହି ଶିବିରରେ ମୋଟ ୫ଟି ବ୍ୟାଙ୍କ ପକ୍ଷରୁ ସ୍ୱତନ୍ତ୍ର ଷ୍ଟଲ୍ ଖୋଲାଯିବ। ସେଗୁଡ଼ିକ ହେଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆକ୍ସିସ୍ ବ୍ୟାଙ୍କ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଏବଂ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ। ଫଳରେ ଏହି ବ୍ୟାଙ୍କଗୁଡ଼ିକର ଗ୍ରାହକମାନେ ଗୋଟିଏ ସ୍ଥାନରେ ନିଜ ନିଜ ବ୍ୟାଙ୍କ ସମ୍ବନ୍ଧୀୟ ଆବଶ୍ୟକ ସେବା ଓ ସମସ୍ୟାର ସମାଧାନ ପାଇପାରିବେ।
ଶିବିରରେ ଗ୍ରାହକଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସେବା ହେଉଛି ରି-କେୱାଇସି। ଯେଉଁ ଖାତାଧାରୀମାନଙ୍କର ବ୍ୟାଙ୍କ ଖାତାରେ ପୁନଃ କେୱାଇସି ଆବଶ୍ୟକତା ରହିଛି, ସେମାନେ ଏହି ଶିବିରରେ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିପାରିବେ। ଏଥିସହ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ଅଟଳ ପେନସନ୍ ଯୋଜନା ସମ୍ପର୍କରେ ଯୋଗ୍ୟ ହିତାଧିକାରୀଙ୍କୁ ସୂଚନା ଦିଆଯିବ। ଯୋଜନାଗୁଡ଼ିକରେ ନାମ ପଞ୍ଜୀକରଣ ପାଇଁ ମଧ୍ୟ ଆବଶ୍ୟକ ସହାୟତା ମିଳିବ। ସେହିପରି ବ୍ୟାଙ୍କ ଖାତାରେ ନୋମିନି ଯୋଡ଼ିବା, ଆଧାର ସଂଯୋଗ, ଡିଜିଟାଲ୍ ବ୍ୟାଙ୍କିଂର ବ୍ୟବହାର ଏବଂ ସାଇବର ଠକେଇରୁ କିପରି ସୁରକ୍ଷିତ ରହିବେ, ସେନେଇ ଗ୍ରାହକଙ୍କୁ ସଚେତନ କରାଯିବ। ବିଶେଷକରି ଗ୍ରାମାଞ୍ଚଳର ଚାଷୀ, ମହିଳା, ଶ୍ରମଜୀବୀ, ବରିଷ୍ଠ ନାଗରିକ ଓ ସାଧାରଣ ଗ୍ରାହକଙ୍କୁ ବ୍ୟାଙ୍କିଂ ସେବାର ପରିସରଭୁକ୍ତ କରିବା ଏହି ଶିବିରର ମୁଖ୍ୟ ଲକ୍ଷ୍ୟ।
ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ମଜବୁତ କରିବା ସହ ସରକାରୀ ଆର୍ଥିକ ସୁରକ୍ଷା ଯୋଜନାର ଲାଭ ଯୋଗ୍ୟ ଲୋକଙ୍କ ପାଖରେ ପହଞ୍ଚାଇବା ଏହି ଅଭିଯାନର ଅନ୍ୟତମ ଉଦ୍ଦେଶ୍ୟ। ଏହାଦ୍ୱାରା ଲୋକଙ୍କୁ ବ୍ୟାଙ୍କ କାମ ପାଇଁ ଅନାବଶ୍ୟକ ଯାତାୟାତ କରିବାକୁ ପଡ଼ିବନି ଏବଂ ସମୟ ମଧ୍ୟ ବଞ୍ଚିବ। ତେଣୁ ପଦ୍ମାବତୀ ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳର ସମସ୍ତ ବ୍ୟାଙ୍କ ଗ୍ରାହକଙ୍କୁ ଏହି ଶିବିରରେ ଯୋଗଦେବାକୁ ଶାଖା ପରିଚାଳକ ଶ୍ରୀ ବେହେରା ଅନୁରୋଧ କରିଛନ୍ତି। ଶିବିରକୁ ଆସିବା ସମୟରେ ଗ୍ରାହକମାନେ ନିଜର ବ୍ୟାଙ୍କ ପାସବୁକ୍, ଆଧାର କାର୍ଡ, ଆବଶ୍ୟକ ହେଲେ ପାନ୍ କାର୍ଡ ଏବଂ ବ୍ୟାଙ୍କ ଖାତା ସହ ପଞ୍ଜୀକୃତ ମୋବାଇଲ୍ ନମ୍ବର ସାଙ୍ଗରେ ଆଣିବାକୁ କୁହାଯାଇଛି।













Leave a Reply