ରଥଯାତ୍ରା ସମୟରେ ଭକ୍ତମାନଙ୍କୁ ପୁରୀ ବସ୍ଷ୍ଟାଣ୍ଡରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ମାଗଣା ଅଟୋ ରିକ୍ସା ସେବା ଯୋଗାଇ ଦିଆଯିବ। ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତି ଯାଞ୍ଚ କରିବା ପାଇଁ ପୁରୀରେ ଚାଲିଥିବା ଦ୍ୱିତୀୟ ସମନ୍ୱୟ ବୈଠକ ସମାପ୍ତ ହେବା ପରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ବସ୍ଷ୍ଟାଣ୍ଡ ଏବଂ ବଡ଼ଦାଣ୍ଡ ମଧ୍ୟରେ ଭକ୍ତମାନଙ୍କ ପାଇଁ ମାଗଣା ଅଟୋ ରିକ୍ସା ସେବା ଉପଲବ୍ଧ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ, ପୁରୀର ତାଳବଣିଆରେ ରଥଯାତ୍ରା, ବାହୁଡା ଯାତ୍ରା ଏବଂ ସୁନାବେଶ ଉତ୍ସବ ପାଇଁ ଏକ ଅସ୍ଥାୟୀ ବସ୍ଷ୍ଟାଣ୍ଡ ନିର୍ମାଣ କରାଯିବ।
ମନ୍ତ୍ରୀ କହିଛନ୍ତି ଯେ, ରଥଯାତ୍ରା ସମୟରେ ପୁରୀକୁ ଚଳାଚଳ ପାଇଁ ୨୫୦ଟି ସ୍ୱତନ୍ତ୍ର ବସ୍କୁ ପରମିଟ୍ ଦିଆଯିବ। ବସ୍ ଭଡ଼ାର ରେଟ୍ ଚାର୍ଟ ମଧ୍ୟ ପ୍ରଦର୍ଶିତ ହେବ। ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରିପୋର୍ଟ ଅନୁଯାୟୀ, ଆଗାମୀ ରଥଯାତ୍ରା ୨୦୨୫ସମୟରେ ପୁରୀକୁ ୩୬୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ତତସହିତ ଶ୍ରଦ୍ଧାଳୁଙ୍କ ସମାଗମ ଆଶଙ୍କା କରାଯାଉଥିବାରୁ ପାନୀୟଜଳ, ଶୌଚାଳୟ, ରହଣି ସୁବିଧା, ଅପରାଧ ଦମନ, ଭିଡ଼ ନିୟନ୍ତ୍ରଣ, ଠାକୁରଙ୍କ ଶୃଙ୍ଖଳିତ ଦର୍ଶନ, ଉଚିତ୍ ମୂଲ୍ୟରେ ମହାପ୍ରସାଦ ଉପଲବ୍ଧ କରିବା, ବସ ଓ ଟ୍ରେନ୍ ଯାତ୍ରାକୁ ସହଜ ଓ ସୁଗମ କରିବା, ସଫେଇ, ଉତ୍ତମମାନର ଖାଦ୍ୟ ବିକ୍ରି, ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ସର୍ବୋପରି ରଥଯାତ୍ରାରେ ନୀତିନିର୍ଘଣ୍ଟ ଓ ନୀତିକାନ୍ତି ଉପରେ ଆଲୋଚନା ହୋଇଥିଲା।












Leave a Reply