ଅକ୍ଷର ବ୍ୟୁରୋ: ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି । ନଭେମ୍ବର ୧୦ ମାଣ୍ଡିଆ ଦିବସ ଅବସରରେ ରାଜ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ଏଥିରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଯୋଗ ଦେବାରେ କାର୍ଯ୍ୟକ୍ରମ ରହିଛି ବୋଲି ଉପ ମୁଖ୍ୟମନ୍ତ୍ରୀ ସିଂ ଦେଓ କହିଛନ୍ତି । ନଭେମ୍ବର ୧୦ ଏବଂ ୧୧ ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଚାଲିବ । ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି । ଦେଶର ପ୍ରଥମ ରାଜ୍ୟଭାବେ ଓଡ଼ିଶା ମାଣ୍ଡିଆ ଦିବସ ପାଳନ କରୁଛି । ଉତ୍ସବ ମାଧ୍ୟମାରେ ମାଣ୍ଡିଆର ପ୍ରଚାର ପ୍ରଶାର ସାଙ୍ଗକୁ ବିଶ୍ୱ ବଜାରରେ ମାଣ୍ଡିଆ ଯେପରି ପହଞ୍ଚି ପାରିବ ସେନେଇ ଉଦ୍ୟମ କରାଯିବ ବୋଲି ସୂଚନା ମିଳିଛି । ଏବେ ତ ମାଣ୍ଡିଆରେ ପ୍ରସ୍ତୁତ ଅନେକ ଖାଦ୍ୟ ସାମଗ୍ରୀ ମାର୍କେଟରେ ମିଳିଲାଣି । ଆଉ ଏହାର ଚାହିଦା ମଧ୍ୟ ଅନେକ । ମାଣ୍ଡିଆରେ ଅଧିକ ଫାଇଭର, ମିନେରାଲ୍ସ, ଆଣ୍ଟିଅକ୍ସିଡାଣ୍ଟ ଓ ତନ୍ତୁ ଭରି ରହିଛି । ଏହା ସ୍ୱଳ୍ପ ଗ୍ଲାଇସେମିକ୍ ଇଣ୍ଡେକ୍ସ ଯୁକ୍ତ ଥିବାରୁ ଏହାକୁ ଡାଏବେଟିସ୍ ରୋଗୀ ମଧ୍ୟ ଖାଇପାରିବେ ।
ମାଣ୍ଡିଆ ଚାଷର ପ୍ରଚାର ଏବଂ ପ୍ରସାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଓଡ଼ିଶା ମିଲେଟ ମିଶନ ଦ୍ବାରା ନିଆଯାଇଥିବା ପଦକ୍ଷେପକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ମିଳିଛି । କେନ୍ଦ୍ର ସରକାର ଏହି ମଡେଲକୁ ଆପଣାଇବାକୁ ବିଭିନ୍ନ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରଣାଳୟ ଓ ବିଭାଗରେ ହେବାକୁ ଥିବା ମିଟିଂ ଓ କ୍ୟାଣ୍ଟିନରେ ମାଣ୍ଡିଆ ପ୍ରସ୍ତୁତ ଲଡୁ, ମିକ୍ସଚର, ସ୍ନାକ୍ସ୍, ପୁରି, ଇଡିଲି, ଦୋଷା ଓ ବିସ୍କୁଟ୍ ପରଷିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସେତିକି ନୁହେଁ ନୀତି ଆୟୋଗ ମଧ୍ୟ ଏହାକୁ ଏକାଧିକ ଥର ପ୍ରଶଂସା କରିଛନ୍ତି । ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ମିଲେଟ୍ ଉତ୍ପାଦନ ତଥା ବ୍ୟବହାର ପାଇଁ ପ୍ରଚାର ପ୍ରସାର କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି ।
କୃଷି ଓଡ଼ିଶାରେ ମିଲେଟ୍ ଏବେ ‘ମାସ୍କଟ’ ଭାବେ ପରିଚିତ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମାଣ୍ଡିଆର ପ୍ରଚାର ପ୍ରସାର ଓ ଖାଦ୍ୟ ଥାଳିରେ ଲଘୁ କ୍ଷୁଦ୍ରଶସ୍ୟର ପୁନରୁଦ୍ଧାର ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ଓଡ଼ିଶା ମିଲେଟ୍ ମିଶନ୍’। ମାଣ୍ଡିଆକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରିବା ତଥା ମାଣ୍ଡିଆ ଚାଷୀଙ୍କ ଜୀବନ ଓ ଜୀବିକାର ବିକାଶ ଦିଗରେ ସହାୟ ହେବା, ଏହି ଦିବସ ପାଳନର ଉଦ୍ଦେଶ୍ୟ। ଓଡ଼ିଶା ମିଲେଟ୍ ମିଶନ ପକ୍ଷରୁ ମାଣ୍ଡିଆର ପ୍ରଚାର ପ୍ରସାର ନିମନ୍ତେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କୁ ଯୋଡ଼ା ଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମିଲେଟ୍ ଶକ୍ତି ଆଉଟ୍ଲେଟ୍ ଓ ମିଲେଟ୍ କାଫେ ଖୋଲାଯାଉଛି। ଜାତିସଂଘ ଦ୍ବାରା ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ଘୋଷଣା କରାଯାଇଛି।












Leave a Reply