୩ ଦିନ ପାଇଁ ସମୁଦ୍ର ମନା: ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ବଡ଼ ନିଷ୍ପତ୍ତି ।

ଅକ୍ଷର ବ୍ୟୁରୋ: ୩ ଦିନ ପାଇଁ ସମୁଦ୍ର ମନା । ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ହୋଇଛି । ଆସନ୍ତା ୨୭, ୨୮ ଏବଂ ୨୯ତାରିଖ ପାଇଁ ସମୁଦ୍ରକୁ ଯିବାକୁ ବାରଣ କଲେ ଜିଲ୍ଲା ପ୍ରଶାସନ । ଏହି ୩ ଦିନ ଧରି ସମୁଦ୍ର ଭିତରକୁ ନା କୌଣସି ପର୍ଯ୍ୟଟକଙ୍କୁ ଛଡ଼ାଯିବ ନା କେହି ବାଲିକୁ ଯାଇପାରିବେ । ସମ୍ଭାବ୍ୟ ବାତ୍ୟାକୁ ଦେଖି ସତର୍କତା ସ୍ୱରୂପ ଏହି ପଦକ୍ଷେପ ନେଇଛି ପୁରୀ ଜିଲ୍ଲା ପ୍ରଶାସନ । ଯଦି କେହି ଅମାନିଆ ହେବେ ଏବଂ ସମୁଦ୍ରରେ ସ୍ନାନ କରିବେ, ଆଇନ ଅନୁଯାୟୀ କଡ଼ା ଆକ୍ସନ ନିଆଯିବ ବୋଲି କହିଛି ପୁରୀ ଅଗ୍ନିଶମ ବିଭାଗ । ବାତ୍ୟାର ପ୍ରକୋପ ବଢିଲେ ସମୁଦ୍ର ବାଲିକୁ ମଧ୍ୟ ପର୍ଯ୍ୟଟକଙ୍କୁ ଛଡ଼ାଯିବନାହିଁ ବୋଲି ପୁରୀ ଅଗ୍ନିଶମ ବିଭାଗ ଅଧିକାରୀ ପ୍ରଭାତ କୁମାର ରାଉତ ସୂଚନା ଦେଇଛନ୍ତି ।

ବାତ୍ୟା ପ୍ରଭାବରେ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ କି.ମିରୁ ୭୦ କି.ମି ପର୍ଯ୍ୟନ୍ତ ବହିବା ନେଇ ଆକଳନ କରାଯାଇଛି । ତେବେ ଆଗାମୀ ଦୁଇଦିନ ପାଇଁ ରାଜ୍ୟରେ ବିଶେଷ କିଛି ପାଗ ପରିବର୍ତ୍ତନ ହେବାର ସମ୍ଭାବନା ନ ଥିବାବେଳେ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହି ସବୁ ଦିଗକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)