ଧବଳେଶ୍ୱରଙ୍କ ପୀଠରେ ଆଜିଠୁ ପଞ୍ଚକ ବ୍ରତ ଆରମ୍ଭ; ପ୍ରଥମ ଦିନରେ ଆଶୁତୋଷ ବେଶରେ ଦର୍ଶନ ଦେଉଛନ୍ତି ବାବା ।

ଅକ୍ଷର ବ୍ୟୁରୋ: ବାବା ଧବଳେଶ୍ୱରଙ୍କ ପୀଠରେ ଆଜିଠୁ ପଞ୍ଚକ ବ୍ରତ ଆରମ୍ଭ । ଶ୍ରୀକ୍ଷେତ୍ରରେ କାଲିଠୁ ପଞ୍ଚକ ବ୍ରତ ଆରମ୍ଭ ହେଉଥିବା ବେଳେ ବାବା ଧବଳେଶ୍ୱରଙ୍କ ପୀଠରେ ଆଜିଠୁ ପଞ୍ଚକ ବ୍ରତ ଆରମ୍ଭ ହୋଇଛି । କଟକର ଅନ୍ୟତମ ଶୈବପୀଠ ଧବଳେଶ୍ଵରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ରହିଛି । ପଞ୍ଚକର ପ୍ରଥମ ଦିନରେ ଆଶୁତୋଷ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ପଞ୍ଚକ ଓ ବଡ଼ଓଷା ପାଇଁ ୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ସହ ୧୪ଟି ଟ୍ରାଫିକ୍ ପୋଷ୍ଟ କରାଯାଇଛି । ୩୨ଟି ସ୍ଥାନରେ ସିସିଟିଭି ଲଗାଯିବ । ପାର୍କିଂ ବ୍ୟବସ୍ଥା ପାଇଁ ଦୁଇ ଚକିଆ ଗାଡ଼ି ନୂଆପାଟଣା ଛକରୁ ପାଇକରାପୁର ଷ୍ଟାଣ୍ଡକୁ ଯିବ, ୪ ଚକିଆ ଗାଡ଼ି ବିଦ୍ୟାଧରପୁର ଓ ଧବଳେଶ୍ୱର ଫାଣ୍ଡି ପଡ଼ିଆରେ ପାର୍କିଂ ହେବ ଓ NH ୫୫ ଦେଇ ୪ ଚକିଆ ଗାଡ଼ି ବାଳି ଛକରୁ ସୁନିଆମୁହଁ ରାସ୍ତାରେ ଆସିବ । ଏପଟେ ୨ ଅତିରିକ୍ତ SP, ୮ DSP, ୨୦ IIC ସମେତ ୨୦୦ରୁ ଅଧିକ ପୋଲିସ ନିୟୋଜିତ ହେବେ । ଓଡ୍ରାଫ, ଅଗ୍ନିଶମ ଟିମ୍ ମୁତୟନ ରହିବେ ।

ବିଶ୍ୱାସ ରହିଛି କାର୍ତ୍ତିକ ମାସ ସାରା ବ୍ରତ ରଖି ଯେତିକି ପୁଣ୍ୟ ମିଳେ, ପଞ୍ଚୁକ ପାଞ୍ଚଦିନରେ ବ୍ରତ ରଖିଲେ ତାଠୁ ଅଧିକ ପୁଣ୍ୟ ମିଳିଥାଏ । କିମ୍ବଦନ୍ତୀ ଅନୁସାରେ ବଗସବୁ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରହନ୍ତି ବୋଲି କଥିତ ଥିବାରୁ ଏହାକୁ “ବକ ପଞ୍ଚକ” ମଧ୍ୟ କୁହାଯାଏ । ଶର ଶଯ୍ୟା ଉପରେ ଶାୟିତ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । ଏଥିରେ ପ୍ରସନ୍ନ ହୋଇ ସେ ଭୀଷ୍ମଙ୍କୁ କହିଲେ, “ଆପଣ ଧନ୍ୟ । ଧର୍ମର ଗୂଢ଼ ରହସ୍ୟ ବର୍ଣ୍ଣନା କରିଛନ୍ତି । କାର୍ତ୍ତିକ ଏକାଦଶୀ ଦିନ ଜଳର ଇଚ୍ଛା କରିଛନ୍ତି । ଅର୍ଜୁନ ବାଣଦ୍ୱାରା ଗଙ୍ଗାଜଳ ପ୍ରସ୍ତୁତ କଲେ, ଯାହାଦ୍ୱାରା ଆପଣଙ୍କର ଦେହମନ ସନ୍ତୁଷ୍ଟ ହେଲା । ଏଣୁ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଯେଉଁମାନେ ତୁମକୁ ଜଳ ଅର୍ଘଦାନ କରିବେ ସେମାନେ ମୋତେ ତୃପ୍ତକରିବେ । ଏହା ହେଉଛି ଭୀଷ୍ମପଞ୍ଚକ ଓ ଏହା ପ୍ରତିବର୍ଷ ପାଳିତ ହେବ” । ସାଧାରଣତଃ ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଲୋକ ଏହି ଭୀଷ୍ମପଞ୍ଚକ ବ୍ରତ ପାଳନକରନ୍ତି । କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏକଲକ୍ଷ ତୁଳସୀପତ୍ର ଚଢ଼ାଇ ବିଷ୍ଣୁଙ୍କୁ ପୂଜାକଲେ ସମସ୍ତ ଦେବତା ପ୍ରସନ୍ନ ହୋଇ ବର ପ୍ରଦାନ କରନ୍ତି ବୋଲି ଲୋକ ବିଶ୍ୱାସ ମଧ୍ୟ ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)