ଶ୍ରୀମନ୍ଦିରରେ ଦେବ ଦୀପାବଳୀ ନୀତି; ଆଜିଠୁ ୩ଦିନ ଧରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ ସହ ପିଣ୍ଡଦାନ କରିବେ ମହାପ୍ରଭୁ ।

ଅକ୍ଷର ବ୍ୟୁରୋ: ଆଜିଠୁ ୩ଦିନ ଧରି ଶ୍ରୀମନ୍ଦିରରେ ଦେବ ଦୀପାବଳୀ ନୀତି ଅନୁଷ୍ଠିତ । ମାର୍ଗଶୀର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଅର୍ଥାତ୍ ଆଜି ଠାରୁ ତିନିଦିନ ଧରି ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହେବ । ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦ ତିନି ଦିନ ଧରି ଏହା ଅନୁଷ୍ଠିତ ହେବ । ଏହି ଅବସରରେ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ପିଣ୍ଡଦାନ କରିବେ । ତେବେ ମହାପ୍ରଭୁ ଶ୍ରାଦ୍ଧବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ଆଜି କୃଷ୍ଣ ଚତୁର୍ଦଶୀ ତିଥିରେ ମହାପ୍ରଭୁ ଅଦିତି-କଶ୍ୟପଙ୍କ ଉଦ୍ଦେଶ୍ୟରେ, ଆସନ୍ତାକାଲି ଅମାବାସ୍ୟା ଦିନ ଦଶରଥ-କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ, ପ୍ରତିପଦା ଦିନ ବସୁଦେବ-ଦେବକୀ, ନନ୍ଦ-ଯଶୋଦା, ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚା ଦେବୀଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ଦୀପ ଦାନ କରିବେ । ଶ୍ରୀମନ୍ଦିରରେ ଦ୍ୱିପହର ଧୂପ ପରେ ଶ୍ରୀଜୀଉମାନେ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଦେବ ଦୀପାବଳି ଅବସରରେ ତିନି ଠାକୁର ଶ୍ୱେତ ବସ୍ତ୍ର ପରିଧାନ କରିବେ । ସନ୍ଧ୍ୟାଧୂପ ପରେ ତିନୋଟି ମହାଦୀପ ବଡଦେଉଳ, ଜଗମୋହନ ଓ ଭୋଗମଣ୍ଡପକୁ ଉଠିଥାଏ । ରତ୍ନସିଂହାସନ ଆଗରେ ଅରୁଆ ଚାଉଳରେ ଗଛଟିଏ କରାଯିବା ସହିତ ୨୮ଟି ଦୀପ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଲାଗିବାର ପରମ୍ପରା ରହିଛି । ଏହି ଅବସରରେ ଠାକୁରଙ୍କୁ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ କରଯାଏ । ପୂଜାପଣ୍ଡା ସେବାୟତ ମାନେ ପିଣ୍ଡଦାନ କରିବେ । ଶ୍ରାଦ୍ଧ ନୀତି ସରିବା ପରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)