ଅକ୍ଷର ବ୍ୟୁରୋ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବସିବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରତ୍ନଭଣ୍ଡାର ରତ୍ନ ଗଣତିମଣତି ଏସ୍ଓପିକୁ ମଞ୍ଜୁରି ମିଳିପାରେ । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ, ଏସପି, ପରିଚାଳନା କମିଟି ସଦସ୍ୟ, ଏଏସଆଇ ଅଧିକାରୀଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିବେ । ଶ୍ରୀମନ୍ଦିର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି ନିମନ୍ତେ ପ୍ରସ୍ତୁତ ହୋଇଥିବା ଏସଓପି ବା ଚିଠା ମାର୍ଗଦର୍ଶିକା ଉପରେ ବିସ୍ତୃତ ଆଲୋଚନା ହେବ । ରତ୍ନ ଅଳଙ୍କାର କିଭଳି ଭାବେ ଗଣତି କରାଯିବ ଏବଂ କେଉଁ ସମୟରେ ଏହି କାର୍ଯ୍ୟ କରାଯିବ ସେନେଇ ଆଲୋଚନା ହେବାକୁ ଥିବା ବେଳେ ଠାକୁରଙ୍କ ନୀତି କାନ୍ତିରେ ଯେଭଳି କୌଣସି ପ୍ରଭାବ ନପଡିବ ତାହା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ।
ସେହିପରି ପୂର୍ବରୁ ଅନୁଷ୍ଠିତ ହୋଇଥିବା ପରିଚାଳନା କମିଟି ବୈଠକର ବିବରଣୀ ପଠନ ଓ ଦୃଢ଼ୀକରଣ ଉପରେ ମଧ୍ୟ ଆଲୋଚନା କରାଯିବ । ଏଥିସହ ଶ୍ରୀମନ୍ଦିର ନାଟମଣ୍ଡପରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା କିଭଳି ଏବଂ କେବେଠାରୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ ହେବ ସେନେଇ ଆଲୋଚନା ହେବ । ଅନ୍ୟାନ୍ୟ ପ୍ରସଙ୍ଗ ନେଇ ସଭାପତିଙ୍କ ଅନୁମୋଦନ କ୍ରମେ ବୈଠକରେ ଆଲୋଚନା ହେବ ।












Leave a Reply