ବିମାନ ସୁରକ୍ଷା ପାଇଁ ବିଏମସିର କଡ଼ା ଆକ୍ସନ ! ବିମାନବନ୍ଦର ପାଖରେ ଉଚ୍ଚ କୋଠା ଓ ଟ୍ୟାଙ୍କ ହଟାଇବାକୁ ନୋଟିସ

ଅକ୍ଷର ବ୍ୟୁରୋ: ବିମାନର ସୁରକ୍ଷିତ ଉଡ଼ାଣ ଓ ଅବତରଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ବଡ଼ ପଦକ୍ଷେପ ନେଇଛି। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ଚାରିପାଖରେ ବିମାନ ଚଳାଚଳରେ ବାଧା ସୃଷ୍ଟି କରିପାରୁଥିବା ଉଚ୍ଚ ନିର୍ମାଣଗୁଡ଼ିକୁ ହଟାଇବା କିମ୍ବା ସେଗୁଡ଼ିକର ଉଚ୍ଚତା କମାଇବା ପାଇଁ ବିଏମସି ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି।

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ପକ୍ଷରୁ କରାଯାଇଥିବା ସର୍ଭେରେ ବିମାନବନ୍ଦର ଆଖପାଖରେ ଥିବା କିଛି ସରକାରୀ ଓ ବ୍ୟକ୍ତିଗତ ନିର୍ମାଣ ନିର୍ଦ୍ଧାରିତ ଉଚ୍ଚତା ସୀମା ଅତିକ୍ରମ କରିଥିବା ଚିହ୍ନଟ ହୋଇଛି। ରିପୋର୍ଟ ଅନୁସାରେ, ଏଭଳି ଉଚ୍ଚ ନିର୍ମାଣ ବିମାନର ସୁରକ୍ଷିତ ଉଡ଼ାଣ ଓ ଅବତରଣରେ ବାଧା ସୃଷ୍ଟି କରିବା ସହ ବଡ଼ ବିପଦର କାରଣ ପାଲଟିପାରେ। ଏହାକୁ ଗୁରୁତ୍ୱର ସହ ନେଇ ବିଏମସି ପକ୍ଷରୁ ୱାଟକୋ ସମେତ ସମ୍ପୃକ୍ତ ସଂସ୍ଥା ଓ ବ୍ୟକ୍ତିମାନଙ୍କୁ ନୋଟିସ ଜାରି କରାଯାଇଛି। ବିମାନବନ୍ଦର ନିକଟରେ ଥିବା ଏକ ଓଭରହେଡ୍ ୱାଟର ଟ୍ୟାଙ୍କର ଉଚ୍ଚତା କମାଇବା, ଆବଶ୍ୟକ ପଡ଼ିଲେ ଏହାକୁ ସମ୍ପୂର୍ଣ୍ଣ ହଟାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

କେବଳ ସରକାରୀ ନିର୍ମାଣ ନୁହେଁ, ବ୍ୟକ୍ତିଗତ ମାଲିକାନାର ଉଚ୍ଚ କୋଠା ଉପରେ ମଧ୍ୟ ବିଏମସି କଠୋର ମନୋଭାବ ଆପଣାଇଛି। ବରମୁଣ୍ଡା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ସାତ ଦିନ ମଧ୍ୟରେ ନିର୍ମାଣର ଉଚ୍ଚତା କମାଇବା ପାଇଁ ନୋଟିସ ଜାରି କରାଯାଇଛି।

ବିଏମସି ସ୍ପଷ୍ଟ କରିଛି ଯେ, ନିର୍ଦ୍ଦେଶ ଅବମାନନା କଲେ ସମ୍ପୃକ୍ତ ବ୍ୟକ୍ତି କିମ୍ବା ସଂସ୍ଥା ବିରୋଧରେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ବିମାନ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ବିମାନବନ୍ଦର ପରିସରରେ ଉଚ୍ଚ ନିର୍ମାଣ ଉପରେ ନଜରଦାରୀକୁ ଆହୁରି କଡ଼ା କରାଯାଇଥିବା ଜଣାପଡ଼ିଛି। ଏହି ପଦକ୍ଷେପ ଫଳରେ ବିମାନବନ୍ଦର ଆଖପାଖରେ ନିର୍ମାଣ ନିୟମ ପାଳନ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହ ବିମାନ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ପ୍ରଶାସନ ଆଶା ପ୍ରକାଶ କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)