ଆସନ୍ତା ଏପ୍ରିଲ ୨୭ ତାରିଖ ସୁଦ୍ଧା ରାଜ୍ୟର ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ବଣ୍ଟନ ପ୍ରକ୍ରିୟା ଶେଷ କରିବା ପାଇଁ ଓସେପାର ନିର୍ଦ୍ଦେଶ ।

ଅକ୍ଷର ବ୍ୟୁରୋ: ଆସନ୍ତା ଏପ୍ରିଲ ୨୭ ତାରିଖ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ବଣ୍ଟନ ପ୍ରକ୍ରିୟା ଶେଷ ପାଇଁ ଓସେପାର ନିର୍ଦ୍ଦେଶ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) । ଏଥିସହ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଚିଠି କରାଯାଇଛି । ଚିଠିରେ ୟୁନିଫର୍ମ ପ୍ରସ୍ତୁତି, ବଣ୍ଟନ ନେଇ କେଉଁ କେଉଁ ଦିଗ ଉପରେ ଧ୍ୟାନ ଦେବେ ସେନେଇ ସମସ୍ତ ନିୟମାବଳୀ ଉଲ୍ଲେଖ ରହିଛି । ଖରା ଛୁଟି ପୂର୍ବରୁ ରାଜ୍ୟର ଶିଶୁବାଟିକାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ ୟୁନିଫର୍ମ ବଣ୍ଟନ କରାଯିବ । ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ୨୦୨୫-୨୬ ବର୍ଷ ପାଇଁ ଚୟନ ହୋଇଥିବା ସମାନ ଏଜେନ୍ସି ଏବଂ ସପ୍ଲାଏର ୨୦୨୬-୨୭  ଶିକ୍ଷାବର୍ଷ ପାଇଁ ୟୁନିଫର୍ମ ଯୋଗାଇବେ ।

ଗତବର୍ଷ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ବଣ୍ଟନରେ ଅହେତୁକ ବିଳମ୍ୱ ପରେ ଏବେ ଆଗୁଆ ସତର୍କ ହୋଇଛି ଓସେପା । ବିଭିନ୍ନ ଗଣମାଧ୍ୟମରେ ପୋଷାକ ବଣ୍ଟନ ବିଳମ୍ୱ ନେଇ ଖବର ପ୍ରସାରଣ ପରେ ତତ୍ପରତା ପାଇଥିଲା । ବିଶେଷ କରି ଗତ ବର୍ଷ ୟୁନିଫର୍ମ ଯୋଗାଣ ପାଇଁ ଏଜେନ୍ସି ଓ ସପ୍ଲାଏୟର ଚୟନରେ ବିଳମ୍ୱ ହୋଇଥିବାରୁ ଏଥର ସେହି ଏଜେନ୍ସି ଓ ସପ୍ଲାଇୟରଙ୍କୁ ପୋଷାକ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦ ତାରିଖ ସୁଦ୍ଧା ସମସ୍ତ ସ୍କୁଲର ତଥ୍ୟ ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଖରେ ପହଞ୍ଚିବ । ୧୨ ତାରିଖ ସୁଦ୍ଧା ସମସ୍ତ ପୋଷାକ ପ୍ରସ୍ତୁତି ଦାୟିତ୍ୱରେ ଥିବା ସଂସ୍ଥାର ୱାର୍କଅର୍ଡରକୁ ସମୀକ୍ଷା କରାଯିବ । ୨୭ ସୁଦ୍ଧା ପୋଷାକ ବଣ୍ଟନ, ୩୦ ସୁଦ୍ଧା ପୋଷାକର ଗୁଣବତ୍ତା ଯାଞ୍ଚ, ମଇ ୨ ତାରିଖ ସୁଦ୍ଧା ପୋଷାକ ବଣ୍ଟନ ସରିବା ସହ ଏହାର ସବିଶେଷ ରିପୋର୍ଟ ଓସେପା ଅଫିସରେ ଦିଆଯିବାକୁ ନିର୍ଦ୍ଦେଶ ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)