ପତ୍ନୀକୁ କାମରୁ ବାହାର କରିଥିଲେ ମାଲିକାଣୀ, ପ୍ରତିଶୋଧ ଓ ଗହଣା ଲୋଭରୁ ହତ୍ୟା କଲା କେୟାରଟେକର!

ଭୁବନେଶ୍ୱର: ରାଜଧାନୀର ଚର୍ଚ୍ଚିତ ଲକ୍ଷ୍ମୀସାଗର ବୃଦ୍ଧା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ। ପୁରୁଣା ରାଗ ସାଙ୍ଗକୁ ଗହଣା ଓ ଟଙ୍କା ଲୁଟ୍‌ର ଲୋଭରୁ ମାଲିକାଣୀ କୁଞ୍ଜଲତା ନନ୍ଦଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛି କେୟାରଟେକର ବଳଭଦ୍ର ମହାରଣା। ହତ୍ୟା ପରେ ଓଡ଼ିଶା ଛାଡ଼ି ସୁରଟକୁ ଫେରାର ହୋଇଯାଇଥିବା ବଳଭଦ୍ରକୁ ଟ୍ରାନଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଆଣିଛି ପୋଲିସ। ସୁରଟର ଏକ ଅଦାଲତ ତାକୁ ନଭେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଟ୍ରାନଜିଟ୍ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଆଜି ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯାଇପାରେ।

ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଏହି ହତ୍ୟାକାଣ୍ଡ ପଛରେ ପତ୍ନୀଙ୍କୁ କାମରୁ ବାହାର କରିଦେବା ଘଟଣାକୁ ନେଇ ରହିଥିବା ପୁରୁଣା ଆକ୍ରୋଶ ଏବଂ ଟଙ୍କା ଗହଣା ଲୁଟ୍‌ର ଯୋଜନା ଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତ ବଳଭଦ୍ରର ପତ୍ନୀ ପୂର୍ବରୁ ଜଣେ ପୂର୍ବତନ ଡିଏଫଓଙ୍କ ଘରେ କାମ କରୁଥିଲେ। ଡିଏଫଓଙ୍କ ମୃତ୍ୟୁ ପରେ କାମ ପସନ୍ଦ ନ ଆସିବାରୁ ଘର ମାଲିକାଣୀ କୁଞ୍ଜଲତା ନନ୍ଦ ତାଙ୍କୁ କାମରୁ ବାହାର କରିଦେଇଥିଲେ। ଏହାକୁ ନେଇ ବଳଭଦ୍ରଙ୍କ ମନରେ କୁଞ୍ଜଲତାଙ୍କ ପ୍ରତି ପୁରୁଣା ରାଗ ରହିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଥିବା କୁହାଯାଉଛି।

ପୂର୍ବରୁ କୁଞ୍ଜଲତାଙ୍କ ଘରକୁ ଯିବାଆସିବା କରୁଥିବା ବଳଭଦ୍ର ପ୍ରାୟ ଚାରି ମାସ ପୂର୍ବରୁ କେୟାରଟେକର ଭାବେ ନିଯୁକ୍ତ ହୋଇଥିଲା। ଏହାପରେ ଘରେ ଥିବା ଟଙ୍କା ଓ ଗହଣା ଉପରେ ତା’ର ଲୋଭ ବଢ଼ିଥିବା ଅଭିଯୋଗ ହୋଇଛି। ସେସବୁ ଲୁଟ୍ କରି ଫେରାର ହେବାକୁ ଯୋଜନା କରିଥିଲା ବଳଭଦ୍ର। ନଭେମ୍ବର ୩ ତାରିଖ ରାତିରେ ପ୍ରଥମେ ଘରର CCTV କ୍ୟାମେରା ବନ୍ଦ କରିଦେଇଥିଲା। ଏହାପରେ କୁଞ୍ଜଲତାଙ୍କୁ ଧମକାଇ ଘରେ ଟଙ୍କା ଓ ଗହଣା କେଉଁଠି ରହିଛି ପଚାରିଥିଲା। କିନ୍ତୁ ସେ ତଥ୍ୟ ଦେବାକୁ ମନା କରିବାରୁ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି। ପରେ ଘରୁ ଟଙ୍କା ଓ ଗହଣା ନେଇ ସେଠାରୁ ଚମ୍ପଟ ମାରିଥିଲା।

ହତ୍ୟାକାଣ୍ଡ ପରେ ବଳଭଦ୍ର ପ୍ରଥମେ ଭୁବନେଶ୍ୱରରୁ ପୁରୀ ଯାଇଥିଲା ଏବଂ ସେଠାରୁ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିବା ତଦନ୍ତରେ ସାମ୍ନାକୁ ଆସିଛି। ଦୀର୍ଘ ୮ ଦିନ ଧରି ପୋଲିସକୁ ଚକ୍‌ମା ଦେଇ ଲୁଚି ରହିବା ପରେ ଶେଷରେ ସୁରଟରୁ ଧରାପଡ଼ିଥିଲା ଅଭିଯୁକ୍ତ। ଏବେ ତାକୁ ଟ୍ରାନଜିଟ୍ ରିମାଣ୍ଡରେ ଆଣିବା ପରେ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ଘଟଣାକ୍ରମ, ଫେରାର ହେବାର ରାସ୍ତା ଓ ଲୁଟ୍ ହୋଇଥିବା ସାମଗ୍ରୀ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବାକୁ ପୋଲିସ ତଦନ୍ତ ଜାରି ରଖିଛି। ଆଜି ଅଭିଯୁକ୍ତ ବଳଭଦ୍ର ମହାରଣାକୁ ହତ୍ୟାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯିବାର ସମ୍ଭାବନା ରହିଛି। ଏହାଦ୍ୱାରା ହତ୍ୟା ପୂର୍ବରୁ ଓ ପରେ ଘଟିଥିବା ଘଟଣା, CCTV ବନ୍ଦ କରିବା ଏବଂ ଲୁଟ୍ ପରେ ଅଭିଯୁକ୍ତ କିପରି ଫେରାର ହୋଇଥିଲା, ସେ ସମ୍ପର୍କରେ ଅଧିକ ତଥ୍ୟ ମିଳିବା ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial