ମଧୁବାବୁ ପେନ୍‌ସନ୍ ଯୋଜନାରୁ ହଟିଲା କୋଟା ବ୍ୟବସ୍ଥା, ସରକାରଙ୍କୁ ‘ସଂପର୍କ’ର କୃତଜ୍ଞତା

ପୁରୀ: ଅସହାୟ, ଅବହେଳିତ ଓ ଆର୍ଥିକ ଦୁର୍ବଳ ବର୍ଗଙ୍କ ମୁହଁରେ ହସ ଫୁଟାଇବା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଛି ପୁରୀର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ସଂପର୍କ’। ମଧୁବାବୁ ପେନ୍‌ସନ୍ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ସହ ଦୀର୍ଘଦିନ ଧରି ପ୍ରଚଳିତ କୋଟା ବ୍ୟବସ୍ଥାର ଉଚ୍ଛେଦକୁ ସଂଗଠନ ପକ୍ଷରୁ ଏକ ଐତିହାସିକ ଓ ଜନହିତକର ନିଷ୍ପତ୍ତି ଭାବେ ଅଭିହିତ କରାଯାଇଛି। ଏହି ଅବସରରେ ସଂଗଠନର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଥିଲେ। ଏହି ଜନକଲ୍ୟାଣକାରୀ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ସଂଗଠନ ପକ୍ଷରୁ ଆନ୍ତରିକ କୃତଜ୍ଞତା ଜଣାଯାଇଥିଲା।

ସାକ୍ଷାତକାର ସମୟରେ ସୌମେନ୍ଦ୍ର ଦାସ ସାମାଜିକ ସୁରକ୍ଷା ଭତ୍ତାର ଗୁରୁତ୍ୱ ସମ୍ପର୍କରେ ମତ ରଖି କହିଥିଲେ ଯେ, ଦୀର୍ଘବର୍ଷ ଧରି କୋଟା ବ୍ୟବସ୍ଥା ପ୍ରଚଳିତ ଥିବାରୁ ଅନେକ ଯୋଗ୍ୟ ବୃଦ୍ଧବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗ ବ୍ୟକ୍ତି ଭତ୍ତା ପାଇବାରୁ ବଞ୍ଚିତ ହେଉଥିଲେ। ଏହି ବ୍ୟବସ୍ଥାର ଉଚ୍ଛେଦ ଫଳରେ ଏବେ ସେମାନଙ୍କ ପାଇଁ ସାମାଜିକ ସୁରକ୍ଷାର ନୂଆ ଦ୍ୱାର ଖୋଲିଛି। ଏହା କେବଳ ଆର୍ଥିକ ସହାୟତା ନୁହେଁ, ବରଂ ସମାଜର ଦୁର୍ବଳ ଓ ଅସହାୟ ବର୍ଗଙ୍କ ପ୍ରତି ସରକାରଙ୍କ ସମ୍ବେଦନଶୀଳତାର ପରିଚୟ ବୋଲି ସେ ଉଲ୍ଲେଖ କରିଥିଲେ।

ତେବେ ସରକାରଙ୍କ ଏହି ନିଷ୍ପତ୍ତିର ପ୍ରକୃତ ସୁଫଳ ଯେପରି ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ, ସେଥିପାଇଁ ଆବେଦନ, ଯାଞ୍ଚ ଓ ଭତ୍ତା ମଞ୍ଜୁରୀ ପ୍ରକ୍ରିୟାକୁ ଅଧିକ ସରଳ, ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବା ଆବଶ୍ୟକ ବୋଲି ସୌମେନ୍ଦ୍ର ଦାସ ମତ ଦେଇଥିଲେ। କୌଣସି ଯୋଗ୍ୟ ବ୍ୟକ୍ତି ଯେପରି ସାମାଜିକ ସୁରକ୍ଷା ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଥିଲେ।

ଏହି ଅବସରରେ ‘ସଂପର୍କ’ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇଥିଲା। ଏଥିସହ ପୁରୀ ଜିଲ୍ଲା ଆଳନ୍ଦିଆ ଗ୍ରାମର ପାରମ୍ପରିକ ଗାମୁଛା ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରୀ, ସମାଜସେବୀ ହରିହର ମହାପାତ୍ର, ସରକାରୀ ଓକିଲ ଦିଗଦର୍ଶନ ପଟ୍ଟନାୟକ, ସମାଜସେବୀ ଉମାକାନ୍ତ ନାୟକ ଏବଂ ଭିତର ସେବାୟତ ନିଯୋଗର ସମ୍ପାଦକ ରବି ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସେମାନେ ସମାଜସେବା, ଯୁବପିଢ଼ିଙ୍କ ଭୂମିକା ଓ ସାମାଜିକ ଦାୟିତ୍ୱବୋଧ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ।

ସାମାଜିକ ସୁରକ୍ଷା ଓ ଜନସେବା କ୍ଷେତ୍ରରେ ସରକାରଙ୍କ ସହ ଏକ ସହଯୋଗୀ ଅନୁଷ୍ଠାନ ଭାବେ ‘ସଂପର୍କ’ ଆଗାମୀ ଦିନରେ ମଧ୍ୟ ନିଜର ସେବାମୂଳକ କାର୍ଯ୍ୟ ଜାରି ରଖିବ ବୋଲି ସୌମେନ୍ଦ୍ର ଦାସ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଭୟ ଅମିତ ସାହୁ, ଅଭିଷେକ ରଥ, ସୌମ୍ୟରଞ୍ଜନ ମହାରଣା, ଅଙ୍କିତ ତ୍ରିପାଠୀ, ଆଶିଷ ଦାଶ, ଦେବାଶିଷ ମହାନ୍ତି, ଆଶିଷ କୁମାର ଲେଙ୍କା, ସର୍ବଜିତ ଜେନା, ଶୁଭଦର୍ଶିନୀ ପଲେଇ, ଡ. ସସ୍ମିତା ବନ୍ଦର ନାୟକ, ସାଇ ସୁରଭି ଦାସ, ସ୍ୱସ୍ତିକା ନାୟକ, ଶୁଭସ୍ୱାଗତିକା ପୁହାଣ, ଶୁଭ ପ୍ରସାଦ ଶର୍ମା ଓ ରାକେଶ ସେଠୀଙ୍କ ସମେତ ସଂଗଠନର ବହୁ ସଦସ୍ୟ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial