ଅକ୍ଷର ବ୍ୟୁରୋ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଏକ ପଥର ଖଣିରେ ଘଟିଥିବା ଭୟାବହ ଦୁର୍ଘଟଣାରେ ଅନେକ ଶ୍ରମିକ ମୃତାହତ ହୋଇଥିବା ସୂଚନା ମିଳିଛି। ବେଙ୍ଗାଲୁରୁ ଦକ୍ଷିଣ ତାଲୁକର ମାଦାପାଟନା ଗାଁ ନିକଟସ୍ଥ କାବେରୀ କମ୍ପାନୀର କ୍ରସର ଖଣିରେ କାମ ଚାଲିଥିବା ବେଳେ ପ୍ରାୟ ୪୦ ଫୁଟ ଉପରୁ ଏକ ବିଶାଳ ପଥର ଖଣ୍ଡ ଖସିପଡ଼ିବାରୁ ଏହି ଅଘଟଣ ଘଟିଛି। ଏପର୍ଯ୍ୟନ୍ତ ୭ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆହୁରି ଅନେକ ଶ୍ରମିକ ପଥର ତଳେ ଫସି ରହିଥିବା ଆଶଙ୍କା କରାଯାଉଛି।
ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୬ଟା ୩୦ ମିନିଟ ସମୟରେ ଖଣିରେ ନିୟମିତ କାର୍ଯ୍ୟ ଚାଲିଥିଲା। ହଠାତ୍ ଖଣିର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିବା ସହ ଏକ ବିଶାଳ ପଥର ଖଣ୍ଡ ଶ୍ରମିକଙ୍କ ଉପରେ ଖସି ପଡ଼ିଥିଲା। ଫଳରେ ଅନେକ ଶ୍ରମିକ ପଥର ତଳେ ଚାପି ହୋଇଯାଇଥିଲେ।
ଦୁର୍ଘଟଣା ପରେ ପୋଲିସ, ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବ୍ୟାପକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ୪ ଜଣ ଆହତ ଶ୍ରମିକଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭଗ୍ନାବଶେଷ ହଟାଇବା ସହ ପଥର ତଳେ ଫସିଥିବା ଶ୍ରମିକଙ୍କୁ ଖୋଜିବା ପାଇଁ ଅଭିଯାନ ଜାରି ରହିଛି। ଖନନକାରୀ ପର୍ଶୁରାମଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣା ସମୟରେ ଖଣି ତଳେ ୧୫ରୁ ୨୦ ଜଣ ଶ୍ରମିକ କାମ କରୁଥିଲେ। ଏହି କାରଣରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ପ୍ରାଥମିକ ସୂଚନା ଅନୁଯାୟୀ, ଖଣିରେ କାମ କରୁଥିବା ଅଧିକାଂଶ ଶ୍ରମିକ ବିହାରର ବାସିନ୍ଦା। ସେମାନଙ୍କ ପରିବାରକୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଉଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ସହ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ଥିଲା କି ନାହିଁ, ସେନେଇ ପୋଲିସ ଏବଂ ସମ୍ପୃକ୍ତ ବିଭାଗ ତଦନ୍ତ ଆରମ୍ଭ କରିଛନ୍ତି।














Leave a Reply