ବାତ୍ୟା ‘ଅର୍ଣ୍ଣବ’ କ୍ଷୟକ୍ଷତି ଆକଳନ ପାଇଁ ଆଜିଠୁ କେନ୍ଦ୍ରୀୟ ଟିମ୍‌ର ଓଡ଼ିଶା ଗସ୍ତ

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପରେ ଓଡ଼ିଶାରେ ହୋଇଥିବା କ୍ଷୟକ୍ଷତିର ହେବ ସ୍ଥଳଭିତ୍ତିକ ଆକଳନ। ଏଥିପାଇଁ ଆଜିଠାରୁ ରାଜ୍ୟ ଗସ୍ତରେ ଆସୁଛନ୍ତି କେନ୍ଦ୍ର ସରକାରଙ୍କ ୮ ଜଣିଆ କେନ୍ଦ୍ରୀୟ ଟିମ୍। ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଏହି ଟିମ୍ ଓଡ଼ିଶାରେ ରହି ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କରିବେ। ବାତ୍ୟା ଏବଂ ଏହା ପରବର୍ତ୍ତୀ ବନ୍ୟା ଯୋଗୁଁ ବିଭିନ୍ନ କ୍ଷେତ୍ରରେ ହୋଇଥିବା କ୍ଷତିର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କର ଏହି ଟିମ୍‌ର ନେତୃତ୍ୱ ନେବେ।

ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ପ୍ରାଥମିକ ଆଲୋଚନା ପରେ କେନ୍ଦ୍ରୀୟ ଟିମ୍ ପ୍ରସ୍ତୁତ କାର୍ଯ୍ୟସୂଚୀ ଅନୁସାରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ବିଶେଷକରି ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ କୃଷି କ୍ଷେତ୍ରରେ ହୋଇଥିବା କ୍ଷତି ସହ ଭିତ୍ତିଭୂମି, ରାସ୍ତାଘାଟ, ବିଦ୍ୟୁତ୍ ଯୋଗାଣ, ଜଳସମ୍ପଦ ଏବଂ ଅନ୍ୟାନ୍ୟ କ୍ଷେତ୍ରର କ୍ଷୟକ୍ଷତି ଯାଞ୍ଚ କରିବେ। କେଉଁ ଅଞ୍ଚଳରେ କେତେ ପରିମାଣର କ୍ଷତି ହୋଇଛି, ତାହାର ବାସ୍ତବ ଚିତ୍ର ସଂଗ୍ରହ କରିବ ଏହି ଟିମ୍। କେବଳ କ୍ଷୟକ୍ଷତିର ଆକଳନ ନୁହେଁ, ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ କରାଯାଇଥିବା ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ମଧ୍ୟ ଅନୁଧ୍ୟାନ କରାଯିବ। ବାତ୍ୟା ପରେ ସ୍ଥିତି କିପରି ରହିଛି, ପ୍ରଭାବିତ ଲୋକଙ୍କୁ କେଉଁ ପ୍ରକାର ସହାୟତା ମିଳିଛି ଏବଂ ପୁନରୁଦ୍ଧାର କାର୍ଯ୍ୟ କେତେ ଆଗେଇଛି, ସେ ସମ୍ପର୍କରେ ମଧ୍ୟ ଟିମ୍ ତଥ୍ୟ ସଂଗ୍ରହ କରିବ।

ଅନ୍ୟପଟେ କେନ୍ଦ୍ରୀୟ ଟିମ୍‌ର ଗସ୍ତକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ଟିମ୍‌ର ଯାତାୟାତ, ପରିବହନ ଓ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା ସହ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଉଛି। କେନ୍ଦ୍ରୀୟ ଟିମ୍‌ର ଏହି ଗସ୍ତ ପରେ ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟାରେ ରାଜ୍ୟର ବାସ୍ତବ କ୍ଷୟକ୍ଷତିର ଚିତ୍ର ସ୍ପଷ୍ଟ ହେବ। ଏହି ଆକଳନ ଆଧାରରେ ପରବର୍ତ୍ତୀ ସହାୟତା ଓ ପୁନରୁଦ୍ଧାର ପଦକ୍ଷେପ ନେଇ ଆଗାମୀ ନିଷ୍ପତ୍ତି ଗୁରୁତ୍ୱ ବହନ କରିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial