ଗିଡ଼ିପାବାଲି ଭୂସ୍ଖଳନ: ୧୨ ନିଖୋଜଙ୍କ ପତ୍ତା ମିଳୁନି, ଦିନରାତି ଚାଲିଛି ଉଦ୍ଧାର କାର୍ଯ୍ୟ

ଅକ୍ଷର ବ୍ୟୁରୋ: ଗିଡ଼ିପାବାଲି ଭୂସ୍ଖଳନକୁ ନେଇ ଚିନ୍ତାରେ ନିଖୋଜଙ୍କ ପରିବାର । ଛାତିଥରା ଭୂସ୍ଖଳନରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍‌ର ବାଇବାଲି ପଞ୍ଚାୟତ ଅନ୍ତର୍ଗତ ଗିଡ଼ିପାବାଲି ଗାଁ ନିଶ୍ଚିହ୍ନ ହୋଇଯାଇଥିବା ବେଳେ ଏଯାଏଁ ୧୨ ଜଣ ନିଖୋଜଙ୍କ କୌଣସି ପତ୍ତା ମିଳିନାହିଁ । ନିଖୋଜଙ୍କୁ ଠାବ କରିବା ପାଇଁ ଦିନରାତି ଏକ କରି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ବିଭିନ୍ନ ଉଦ୍ଧାରକାରୀ ଟିମ୍ । ସାରା ରାଜ୍ୟର ନଜର ଏବେ ଏହି ଦୁର୍ଗମ ଗାଁ ଉପରେ ରହିଛି ।

ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ, ଏସ୍‌ଓଜି, ଓଡ୍ରାଫ୍ ଓ ଏନ୍‌ଡିଆର୍‌ଏଫ୍‌ର ଟିମ୍ ନିୟୋଜିତ ହୋଇଛନ୍ତି । ଏହା ସହ ରେଳବାଇର ୩ଟି ଇଞ୍ଜିନିୟରିଂ ଟିମ୍ ଅତ୍ୟାଧୁନିକ ଉଦ୍ଧାରକାରୀ ଯନ୍ତ୍ରପାତି ସହ ଅଭିଯାନରେ ସାମିଲ ହୋଇଛନ୍ତି । ନିଖୋଜମାନେ ମାଟି ତଳେ ପୋତି ହୋଇ ରହିଥିବା ସନ୍ଦେହରେ ସନ୍ଧାନୀ କୁକୁରଙ୍କ ସହାୟତା ନିଆଯାଇଛି । ଏଥିସହ ସିସ୍‌ମିକ୍ ଲାଇଫ୍ ଡିଟେକ୍ସନ୍ ୟୁନିଟ୍‌ର ମଧ୍ୟ ବ୍ୟବହାର କରାଯାଇଛି । ତେବେ ଏଯାଏଁ ଏହି ପ୍ରୟାସରୁ କୌଣସି ସଫଳତା ମିଳିପାରିନାହିଁ ।

ଉଦ୍ଧାର କାର୍ଯ୍ୟରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସାଜିଛି ଦୁର୍ଗମ ଭୌଗୋଳିକ ସ୍ଥିତି । ପାହାଡ଼ରୁ ଖସିଥିବା ବିଶାଳ ପଥରଗୁଡ଼ିକ ବ୍ୟାପକ ଅଞ୍ଚଳରେ ବିଛାଡ଼ି ହୋଇ ପଡ଼ିଛି । ଫଳରେ ମାଟି ଓ ପଥର ହଟାଇବା ପାଇଁ ଭାରୀ ମେସିନ୍ ବ୍ୟବହାର କରିବା ସମ୍ଭବ ହେଉନାହିଁ । ଏଭଳି ସ୍ଥିତିରେ ଉଦ୍ଧାରକାରୀ ଦଳ ଅତ୍ୟନ୍ତ ସତର୍କତାର ସହ ଖୋଜାଖୋଜି ଜାରି ରଖିଛନ୍ତି ।

ବର୍ତ୍ତମାନ ଘଟଣାସ୍ଥଳରେ ଗୋଟିଏ ଓଡ୍ରାଫ୍ ଟିମ୍, ଦୁଇଟି ସନ୍ଧାନୀ କୁକୁର ଏବଂ ଦୁଇଟି ଏନ୍‌ଡିଆର୍‌ଏଫ୍ ଟିମ୍ ନିୟୋଜିତ ଅଛନ୍ତି । ଏହା ସହ ଅଗ୍ନିଶମ ବାହିନୀ ମଧ୍ୟ ଉଦ୍ଧାର ଅଭିଯାନରେ ଲାଗିଛି । ନିଖୋଜ ୧୨ ଜଣଙ୍କ ସନ୍ଧାନ ମିଳିବା ନେଇ ପରିବାର ଲୋକେ ଆଶା ବାନ୍ଧି ବସିଥିବା ବେଳେ ଉଦ୍ଧାରକାରୀ ଦଳର ପ୍ରତ୍ୟେକ ପ୍ରୟାସ ଉପରେ ଏବେ ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial