ଋଷିକୁଲ୍ୟା ବନ୍ୟା ପଛରେ କେବଳ ବର୍ଷା, ନା ବାଲି ମାଫିଆଙ୍କ କାରନାମା?

ଅକ୍ଷର ବ୍ୟୁରୋ: ଗଞ୍ଜାମରେ ଋଷିକୁଲ୍ୟା ନଦୀର ବନ୍ୟା ବିଭୀଷିକା ପରେ ଏବେ ଉଠିଛି ଏକ ବଡ଼ ପ୍ରଶ୍ନ । ବନ୍ୟା ପାଇଁ କେବଳ ଲଗାଣ ବର୍ଷା ଦାୟୀ, ନା ନଦୀଶଯ୍ୟାରୁ ଅନିୟନ୍ତ୍ରିତ ବାଲି ଉତ୍ତୋଳନ ମଧ୍ୟ ବିପଦକୁ ଆହୁରି ବଢ଼ାଇଛି? ନଦୀରୁ ଅତ୍ୟଧିକ ବାଲି ଖନନ ଯୋଗୁଁ ନଦୀକୂଳ ଓ ନଦୀବନ୍ଧର ସ୍ଥିରତା ପ୍ରଭାବିତ ହେଉଛି କି? ଏବେ ଏହି ପ୍ରଶ୍ନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଋଷିକୁଲ୍ୟାରେ ବାଲି ଖନନକୁ ନେଇ ପୂର୍ବରୁ ଅଭିଯୋଗ ହୋଇଥିବା ବେଳେ ଜାତୀୟ ସବୁଜ ପ୍ରାଧିକରଣ (NGT) ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ତଥ୍ୟ ସାମ୍ନାକୁ ଆସିଛି ।

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ବର୍ଷା ପରେ ଫୁଲି ଉଠିଥିଲା ଋଷିକୁଲ୍ୟା ନଦୀ । ଆସିକା, ସୋରଡ଼ା, ପୁରୁଷୋତ୍ତମପୁର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଥିଲା । ଅକ୍ଟୋବର ୩୦ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ପୁରୁଷୋତ୍ତମପୁରରେ ଋଷିକୁଲ୍ୟା ନଦୀର ଜଳସ୍ତର ୧୭ ମିଟର ବିପଦ ସଙ୍କେତକୁ ଟପି ୧୯ ମିଟରରେ ପହଞ୍ଚିଥିଲା । ଏହାରି ଭିତରେ ଗୋବା ନିକଟରେ ନଦୀବନ୍ଧର ଏକ ଅଂଶ ଭାଙ୍ଗିଯିବାରୁ ଆଖପାଖ ଅଞ୍ଚଳକୁ ବନ୍ୟାଜଳ ପଶିଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ବନ୍ୟାର ପ୍ରଭାବ ଆହୁରି ଗମ୍ଭୀର ହୋଇଥିଲା ।

ତେବେ ଏହି ବନ୍ୟା ପରିସ୍ଥିତିରେ ନଦୀଶଯ୍ୟାରୁ ବାଲି ଉତ୍ତୋଳନର କିଛି ଭୂମିକା ରହିଛି କି? ବୈଜ୍ଞାନିକ ଅଧ୍ୟୟନ ଅନୁସାରେ, ନଦୀରୁ ଅତ୍ୟଧିକ ବାଲି ଉତ୍ତୋଳନ ହେଲେ ନଦୀର ପ୍ରାକୃତିକ ସନ୍ତୁଳନ ବିଗିଡ଼ିପାରେ । ଏହାଦ୍ୱାରା ନଦୀର ଗଭୀରତା, ଜଳପ୍ରବାହର ବେଗ, ନଦୀକୂଳର ସ୍ଥିରତା ଏବଂ ପଟୁମାଟି ପରିବହନ ପ୍ରକ୍ରିୟା ପ୍ରଭାବିତ ହୋଇପାରେ । ବିଶେଷ କରି ନଦୀକୂଳ ନିକଟରୁ ଅତ୍ୟଧିକ ବାଲି ଉଠାଗଲେ ଭୂତଳ ମାଟିର କ୍ଷୟ ବଢ଼ିପାରେ । ପ୍ରବଳ ଜଳସ୍ରୋତ ସମୟରେ ଏହା ନଦୀକୂଳ ଭୁଶୁଡ଼ିବାର ଆଶଙ୍କାକୁ ବଢ଼ାଇପାରେ ।

ଏପରିକି ନଦୀବନ୍ଧର ଭିତ୍ତି ନିକଟରେ ଅତ୍ୟଧିକ ଖନନ ହେଲେ ଏହାର ସ୍ଥିରତା ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ତେଣୁ ଋଷିକୁଲ୍ୟା ନଦୀରେ ହୋଇଥିବା ବାଲି ଖନନ ଏବଂ ନଦୀବନ୍ଧ ଭାଙ୍ଗିବା ମଧ୍ୟରେ କୌଣସି ସମ୍ପର୍କ ଅଛି କି ନାହିଁ, ତାହାର ବୈଜ୍ଞାନିକ ଓ ବୈଷୟିକ ତଦନ୍ତ ଜରୁରୀ ହୋଇପଡ଼ିଛି ।

ଏବେ ମୁଖ୍ୟ ପ୍ରଶ୍ନ ହେଉଛି, ଆସିକାରୁ ପୁରୁଷୋତ୍ତମପୁର ପର୍ଯ୍ୟନ୍ତ ଋଷିକୁଲ୍ୟା ନଦୀଶଯ୍ୟାର ବର୍ତ୍ତମାନର ସ୍ଥିତି କ’ଣ? ନଦୀବନ୍ଧ ନିକଟରେ କେତେ ପରିମାଣର ବାଲି ଉତ୍ତୋଳନ ହୋଇଛି? ଏହା ଅନୁମୋଦିତ ଅଞ୍ଚଳ ଓ ନିର୍ଦ୍ଧାରିତ ସୀମା ମଧ୍ୟରେ ହୋଇଛି କି? ନଦୀର ଗତିପଥରେ କୌଣସି ପରିବର୍ତ୍ତନ ଆସିଛି କି? ବନ୍ୟା ପୂର୍ବରୁ ଗୋବା ନିକଟ ନଦୀବନ୍ଧର ସ୍ଥିତି କିପରି ଥିଲା? ଏସବୁ ଦିଗର ତଦନ୍ତ ହେଲେ ହିଁ ବନ୍ୟାର ପ୍ରକୃତ କାରଣ ଓ କ୍ଷୟକ୍ଷତି ବଢ଼ିବା ପଛରେ ଥିବା ସମ୍ଭାବ୍ୟ କାରଣ ସ୍ପଷ୍ଟ ହୋଇପାରିବ ।

ବର୍ତ୍ତମାନ ଋଷିକୁଲ୍ୟା ବନ୍ୟାକୁ ନେଇ କେବଳ ବର୍ଷାକୁ ଦାୟୀ କରିଦେବା ଯଥେଷ୍ଟ ନୁହେଁ । ନଦୀର ପ୍ରାକୃତିକ ପରିବେଶ, ବାଲି ଉତ୍ତୋଳନର ପରିମାଣ, ନଦୀବନ୍ଧର ସ୍ଥିତି ଓ ଜଳପ୍ରବାହର ପରିବର୍ତ୍ତନକୁ ନେଇ ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ । ନଚେତ୍ ପ୍ରତିବର୍ଷ ବନ୍ୟା ସମୟରେ ନଦୀକୂଳିଆ ଲୋକଙ୍କୁ ସମାନ ବିପଦର ସାମ୍ନା କରିବାକୁ ପଡ଼ିପାରେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial