ଭୀଷଣ ବାତ୍ୟାର ରୂପ ନେଲା ‘ମୁରାସୁ’, ଆଜି ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ୍! ୧୨୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର: ବଙ୍ଗୋପସାଗରରେ ଆହୁରି ଶକ୍ତିଶାଳୀ ହେଲା ବାତ୍ୟା ‘ମୁରାସୁ’। ଅବପାତରୁ ଗଭୀର ଅବପାତ ଏବଂ ପରେ ସାମୁଦ୍ରିକ ଝଡ଼ର ରୂପ ନେଇଥିବା ଏହି ବାତ୍ୟା ଏବେ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଆଜି ମଧ୍ୟରାତ୍ରିରୁ ଆସନ୍ତାକାଲି ଭୋର୍ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ଲ୍ୟାଣ୍ଡଫଲ୍ ସମୟରେ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୧୨୦ କିଲୋମିଟର ଛୁଇଁପାରେ। ଏହାକୁ ନେଇ ଆନ୍ଧ୍ର ଉପକୂଳରେ ସତର୍କତା ବଢ଼ିଥିବା ବେଳେ ବାତ୍ୟାର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗ ନଜର ରଖିଛି।

IMDର ସଦ୍ୟତମ ବୁଲେଟିନ୍ ଅନୁସାରେ, ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଥିବା ବାତ୍ୟା ‘ମୁରାସୁ’ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ପ୍ରାୟ ୨୦ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି। ଏହି ସମୟ ମଧ୍ୟରେ ଏହାର ତୀବ୍ରତା ବୃଦ୍ଧି ପାଇ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଆଜି ଭୋର୍ ସାଢ଼େ ୨ଟା ସୁଦ୍ଧା ବାତ୍ୟାଟି ଚେନ୍ନାଇଠାରୁ ୨୬୦ କିଲୋମିଟର ପୂର୍ବ-ଉତ୍ତରପୂର୍ବରେ, ନେଲୋରଠାରୁ ୨୯୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବରେ ଏବଂ ମଛଲିପଟ୍ଟନମଠାରୁ ୩୨୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଥିଲା। ସେହିପରି ଓଙ୍ଗୋଲଠାରୁ ୩୩୦ କିଲୋମିଟର ଦକ୍ଷିଣପୂର୍ବ ଏବଂ ବିଶାଖାପାଟଣାଠାରୁ ୪୭୦ କିଲୋମିଟର ଦକ୍ଷିଣରେ ଏହା କେନ୍ଦ୍ରୀଭୂତ ଥିଲା।

ନେଲୋର-ନରସାପୁର ମଧ୍ୟରେ ଲ୍ୟାଣ୍ଡଫଲ୍ ଆଶଙ୍କା

ପୂର୍ବାନୁମାନ ଅନୁସାରେ, ବାତ୍ୟା ‘ମୁରାସୁ’ ଆଗକୁ ମଧ୍ୟ ଉତ୍ତର-ପଶ୍ଚିମ ଦିଗରେ ଗତି ଜାରି ରଖିବ। ଆଜି ରାତି ସାଢ଼େ ୧୧ଟାରୁ ଆସନ୍ତାକାଲି ଭୋର୍ ୪ଟା ମଧ୍ୟରେ ନେଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଓଙ୍ଗୋଲ ନିକଟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିପାରେ। ତେବେ ପବନର ଝଟକା ୧୨୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବା ଆଶଙ୍କା ରହିଛି। ବାତ୍ୟାର ଗତିପଥ, ତୀବ୍ରତା ଏବଂ ସ୍ଥଳଭାଗ ଅତିକ୍ରମ କରିବାର ସମୟ ଉପରେ IMD ନିରନ୍ତର ନଜର ରଖିଛି। ଆଗାମୀ ବୁଲେଟିନ୍‌ରେ ଏହାର ସ୍ଥିତି ନେଇ ଅଧିକ ସ୍ପଷ୍ଟ ସୂଚନା ମିଳିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial