ଅକ୍ଷର ବ୍ୟୁରୋ: ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ସହର ଓ ଏହାର ୫ କିଲୋମିଟର ପରିଧିକୁ ‘ନୋ ଫ୍ଲାଇଂ ଜୋନ୍’ ଭାବେ ଘୋଷଣା କରାଯାଇଛି। ଏହି ନିଷେଧାଦେଶ ଜୁଲାଇ ୧୬ (ରଥଯାତ୍ରା) ଠାରୁ ଜୁଲାଇ ୨୭, ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ।
ଏହି ସମୟ ମଧ୍ୟରେ ୫ କିଲୋମିଟର ପରିଧି ଭିତରେ କୌଣସି ଅନ୍ମ୍ୟାନ୍ଡ ଏୟାରକ୍ରାଫ୍ଟ ସିଷ୍ଟମ୍ (UAS) କିମ୍ବା ଡ୍ରୋନ୍ ର ପରିଚାଳନା, ଉତ୍କ୍ଷେପଣ ଓ ଉଡ଼ାଣକୁ କଡ଼ାକଡ଼ି ଭାବେ ନିଷେଧ କରାଯାଇଛି। ତେବେ ସରକାରୀ ବିମାନ ନିରୀକ୍ଷଣ, ସୁରକ୍ଷା କାର୍ଯ୍ୟ, ଆକାଶ ଫଟୋଗ୍ରାଫି, ଭିଡିଓଗ୍ରାଫି, ମ୍ୟାପିଂ, ଡକ୍ୟୁମେଣ୍ଟେସନ୍, ବିପର୍ଯ୍ୟୟ ମୁକାବିଲା କିମ୍ବା ପୁରୀ ଏସ୍ପିଙ୍କ ପରାମର୍ଶରେ ଜିଲ୍ଲା ପ୍ରଶାସନ ଅନୁମୋଦନ କରିଥିବା ସରକାରୀ କାର୍ଯ୍ୟ ପାଇଁ ବ୍ୟବହୃତ ଡ୍ରୋନ୍ଗୁଡ଼ିକୁ ଏହି ନିଷେଧାଦେଶରୁ ବାଦ ଦିଆଯାଇଛି।
ପ୍ରଶାସନ ସ୍ପଷ୍ଟ କରିଛି ଯେ, ଏହି ନିର୍ଦ୍ଦେଶ ଉଲ୍ଲଂଘନ କଲେ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩, ବିମାନ ଆଇନ-୧୯୩୪, ବିମାନ ନିୟମ-୧୯୩୭, ଡ୍ରୋନ୍ ନିୟମ-୨୦୨୧ ଏବଂ ପ୍ରଚଳିତ ଅନ୍ୟାନ୍ୟ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।













Leave a Reply