ଭୁବନେଶ୍ୱର: ଓଡ଼ିଶାକୁ ପୁଣି ଘାରିଲା ପ୍ରବଳ ବର୍ଷା ଭୟ। ଆସନ୍ତା ୩ ଓ ୪ ନଭେମ୍ବରରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବିଶେଷକରି ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲା ପାଇଁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। ଏହି ସମୟରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୭୦ କିଲୋମିଟର ଛୁଇଁପାରେ। ବର୍ଷା ସହ ଘଡ଼ଘଡ଼ି, ବିଜୁଳି ଓ ପବନର ପ୍ରଭାବ ମଧ୍ୟ ରହିବ। ସମ୍ଭାବ୍ୟ ପାଣିପାଗ ସ୍ଥିତିକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର (SRC) ସମସ୍ତ ଜିଲ୍ଲାପାଳ ଓ ସମ୍ପୃକ୍ତ ବିଭାଗକୁ ସତର୍କ କରାଇଛନ୍ତି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ନଭେମ୍ବର ୨ ସକାଳ ସାଢ଼େ ୮ଟାରୁ ୩ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଉଭୟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହାସହ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧାରେ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ଏବଂ ଝଟକା ପବନ ୬୦ କିଲୋମିଟର ପର୍ଯ୍ୟନ୍ତ ବହିପାରେ। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ନୟାଗଡ଼ରେ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ଏବଂ ଝଟକା ପବନ ୫୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ।
୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ନଭେମ୍ବର ୩ ସକାଳ ସାଢ଼େ ୮ଟାରୁ ୪ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ଅଧିକ ରହିବ। ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ରହିଛି। ଏହି ପାଞ୍ଚ ଜିଲ୍ଲା ସହ ପୁରୀ ଓ ଖୋର୍ଦ୍ଧାରେ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ। ଝଟକା ପବନର ବେଗ ୭୦ କିଲୋମିଟର ଛୁଇଁବା ଆଶଙ୍କା ରହିଛି। ଅନ୍ୟପଟେ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
୪ ତାରିଖରେ ବି ଜାରି ରହିବ ବର୍ଷାର ପ୍ରକୋପ
ନଭେମ୍ବର ୪ ସକାଳ ସାଢ଼େ ୮ଟାରୁ ୫ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମଧ୍ୟ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହି ସମୟରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ବଳବତ୍ତର ରହିବ। ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି। ଏହି ସମୟରେ ଦକ୍ଷିଣ ଓଡ଼ିଶାର ପାଞ୍ଚ ଜିଲ୍ଲା ସମେତ ପୁରୀ ଓ ଖୋର୍ଦ୍ଧାରେ ଝଟକା ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟର ଛୁଇଁପାରେ।
୧୬ ଜିଲ୍ଲାକୁ ଘଡ଼ଘଡ଼ି ଓ ପବନ ଆଲର୍ଟ
ନଭେମ୍ବର ୫ ସକାଳ ସାଢ଼େ ୮ଟାରୁ ୬ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ରାଜ୍ୟର ୧୬ଟି ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ଓ ଝଟକା ପବନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼। ଏହି ସବୁ ଜିଲ୍ଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି।
ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ସତର୍କ SRC
ସମ୍ଭାବ୍ୟ ପାଣିପାଗ ସ୍ଥିତିକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କ ପାଇଁ ମଧ୍ୟ ସତର୍କତା ଜାରି ହୋଇଛି। ନଭେମ୍ବର ୨ ସନ୍ଧ୍ୟାରୁ ୪ ତାରିଖ ଅପରାହ୍ଣ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ସଂଲଗ୍ନ ସମୁଦ୍ର ଅଞ୍ଚଳକୁ ନଯିବାକୁ ପରାମର୍ଶ ଦିଆଯାଇଛି। ସମୁଦ୍ରରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନ ୬୦ କିଲୋମିଟର ଛୁଇଁପାରେ। ନଭେମ୍ବର ୩ ତାରିଖ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ପବନର ବେଗ ଆହୁରି ବଢ଼ି ୫୦ରୁ ୬୦ କିଲୋମିଟର ଏବଂ ଝଟକା ପବନ ୭୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଏହି ସମୟରେ ସମୁଦ୍ର ଅଶାନ୍ତରୁ ଅତ୍ୟନ୍ତ ଅଶାନ୍ତ ରହିବାର ଆଶଙ୍କା ରହିଛି।
ପାଣିପାଗ ବିଭାଗର ସତର୍କ ସୂଚନା ପରେ SRC ସମସ୍ତ ଜିଲ୍ଲାପାଳ ଓ ସମ୍ପୃକ୍ତ ବିଭାଗଗୁଡ଼ିକୁ ସଜାଗ ରହିବା ସହ ଆବଶ୍ୟକ ପ୍ରସ୍ତୁତି ଓ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ କହିଛନ୍ତି। ବିଶେଷକରି ନିକଟରେ ବନ୍ୟାରେ ପ୍ରଭାବିତ ହୋଇଥିବା ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପୁଣି ପ୍ରବଳ ବର୍ଷା ଆଶଙ୍କା ପ୍ରଶାସନର ଚିନ୍ତା ବଢ଼ାଇଛି। ତଳିଆ ଅଞ୍ଚଳରେ ଜଳବନ୍ଦୀ, ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଏବଂ ନଦୀନାଳରେ ଜଳସ୍ତର ବୃଦ୍ଧି ଭଳି ସମ୍ଭାବ୍ୟ ସ୍ଥିତି ଉପରେ ନଜର ରଖିବାକୁ ପ୍ରଶାସନକୁ ସତର୍କ କରାଯାଇଛି।












Leave a Reply