ରାୟଗଡ଼ା: ବାତ୍ୟା ‘ମୁରାସୁ’କୁ ନେଇ ଆଗୁଆ ସତର୍କ ହୋଇଛି ରାୟଗଡ଼ା ଜିଲ୍ଲା ପ୍ରଶାସନ। ସମ୍ଭାବ୍ୟ ବାତ୍ୟା ପ୍ରଭାବ ଓ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସ୍କୁଲକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ନଭେମ୍ବର ୩ ଓ ୪ ତାରିଖରେ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟ ବନ୍ଦ ରହିବ। ତେବେ ଆବଶ୍ୟକ ପଡ଼ିଲେ ଏହି ବିଦ୍ୟାଳୟଗୁଡ଼ିକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ।
ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ, ଏହି ଛୁଟି କେନ୍ଦ୍ରୀୟ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମେତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଲାଗୁ ହେବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।
ସ୍କୁଲ ବନ୍ଦ ରହିଲେ ମଧ୍ୟ ଜରୁରୀ ପରିସ୍ଥିତିରେ ବିଦ୍ୟାଳୟଗୁଡ଼ିକ ଆଶ୍ରୟସ୍ଥଳୀ ଭାବେ କାର୍ଯ୍ୟ କରିବ। ଏଥିପାଇଁ ସମସ୍ତ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଶ୍ରେଣୀଗୃହର ଚାବି ସ୍ଥାନୀୟ ଶିକ୍ଷକ କିମ୍ବା ଦାୟିତ୍ୱପ୍ରାପ୍ତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଛି। ସେହିପରି ସମସ୍ତ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କୁ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି। ମୋବାଇଲ୍ ଫୋନ୍ ସବୁବେଳେ ଚାଲୁ ରଖିବା ସହ ପ୍ରଶାସନ ପକ୍ଷରୁ ଜରୁରୀ ଡାକରା ମିଳିଲେ ତୁରନ୍ତ ନିଜ ଦାୟିତ୍ୱ ତୁଲାଇବାକୁ କୁହାଯାଇଛି। ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଓ ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କୁ ଏହି ନିର୍ଦ୍ଦେଶ କଡ଼ାକଡ଼ି ପାଳନ କରିବାକୁ ଜିଲ୍ଲା ପ୍ରଶାସନ କହିଛି।
ଅନ୍ୟପଟେ, ବଙ୍ଗୋପସାଗରରେ ସକ୍ରିୟ ରହିଛି ଭୀଷଣ ବାତ୍ୟା ‘ମୁରାସୁ’। ଭାରତୀୟ ପାଣିପାଗ ବିଭାଗର ନଭେମ୍ବର ୨ ତାରିଖର ସୂଚନା ଅନୁଯାୟୀ, ଏହା ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୨୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଥିଲା। ଏହା ଆଗକୁ ମଧ୍ୟ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ନେଇ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଚାଲିଛି।
ବିଶେଷକରି ରାୟଗଡ଼ା ଏକ ପାହାଡ଼ିଆ ଜିଲ୍ଲା ହୋଇଥିବାରୁ ପ୍ରବଳ ବର୍ଷା ହେଲେ ଭୂସ୍ଖଳନ, ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ଓ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇପାରେ। ଏଭଳି ସମ୍ଭାବ୍ୟ ବିପଦକୁ ଆଖିଆଗରେ ରଖି ସ୍କୁଲ ବନ୍ଦ ସହ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି।











Leave a Reply