ଅକ୍ଷର ବ୍ୟୁରୋ: ବାତ୍ୟା ‘ମୁରାସୁ’କୁ ନେଇ ଆନ୍ଧ୍ରପ୍ରଦେଶରେ ବଢ଼ିଲା ଚିନ୍ତା । ବାତ୍ୟାର ପ୍ରଭାବରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହେବା ଆଶଙ୍କା କରାଯାଉଥିବା ବେଳେ ବିଶେଷ କରି ବିଦ୍ୟୁତ୍ ଭିତ୍ତିଭୂମି ଉପରେ ପଡ଼ିପାରେ ବଡ଼ ପ୍ରଭାବ । ପ୍ରାଥମିକ ଆକଳନ ଅନୁସାରେ, ବାତ୍ୟା ଯୋଗୁଁ ୬ ହଜାରରୁ ୮ ହଜାର ପର୍ଯ୍ୟନ୍ତ ବିଦ୍ୟୁତ୍ ଖୁଣ୍ଟ କ୍ଷତିଗ୍ରସ୍ତ ହୋଇପାରେ । ପ୍ରବଳ ପବନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିବା ସହ ଅନେକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବ୍ୟାହତ ହେବାର ଆଶଙ୍କା ରହିଛି ।
ସମ୍ଭାବ୍ୟ କ୍ଷୟକ୍ଷତି ଓ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଆନ୍ଧ୍ରପ୍ରଦେଶ ସରକାର । ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିବା ସହ ବିଦ୍ୟୁତ୍ ବିଭାଗକୁ ସମ୍ପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ପ୍ରଭାବରେ ବିଦ୍ୟୁତ୍ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେଲେ ଯଥାଶୀଘ୍ର ମରାମତି କରି ୪୮ ଘଣ୍ଟା ମଧ୍ୟରେ ବିଦ୍ୟୁତ୍ ସରବରାହ ସ୍ୱାଭାବିକ କରିବାକୁ ଲକ୍ଷ୍ୟ ରଖି କାମ କରିବା ପାଇଁ ସେ କହିଛନ୍ତି ।
ପୂର୍ବରୁ ବାତ୍ୟା ‘ଅର୍ଣ୍ଣବ’ ସମୟରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରୁ ମିଳିଥିବା ଅଭିଜ୍ଞତାକୁ ଆଧାର କରି ଏଥର ପ୍ରସ୍ତୁତିକୁ ଅଧିକ ଗୁରୁତ୍ୱ ଦେଇଛି ରାଜ୍ୟ ସରକାର । ସମ୍ଭାବ୍ୟ କ୍ଷୟକ୍ଷତି ପରେ ଯେପରି ଶୀଘ୍ର ବିଦ୍ୟୁତ୍ ସେବା ଫେରାଇ ଅଣାଯାଇପାରିବ, ସେଥିପାଇଁ ଆବଶ୍ୟକ ପ୍ରସ୍ତୁତି ଓ ସମନ୍ୱୟ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି । ଏହି ସମୀକ୍ଷା ବୈଠକରେ ବିଦ୍ୟୁତ୍ ବିଭାଗର ସ୍ୱତନ୍ତ୍ର ମୁଖ୍ୟ ସଚିବ ବିଜୟାନନ୍ଦ, ବିଦ୍ୟୁତ୍ ବିତରଣ କମ୍ପାନୀଗୁଡ଼ିକର ସିଏମ୍ଡି ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ଏନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋସିଆଲ୍ ମିଡିଆ ‘ଏକ୍ସ’ରେ ସୂଚନା ଦିଆଯାଇଛି ।












Leave a Reply