ଅକ୍ଷର ବ୍ୟୁରୋ: କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଅଘଟଣ । ଡ୍ୟାମ୍ ବ୍ରିଜ୍ ତଳକୁ ସ୍କୁଟି ସହ ଖସିପଡ଼ିଲେ ଦୁଇ ଜଣ ଫରେଷ୍ଟ କର୍ମଚାରୀ । ଏହି ଘଟଣାରେ ଜଣେ କର୍ମଚାରୀ ଉଦ୍ଧାର ହୋଇଥିବା ବେଳେ ଅନ୍ୟଜଣେ ନିଖୋଜ ଅଛନ୍ତି । ନିଖୋଜ କର୍ମଚାରୀଙ୍କୁ ଖୋଜିବା ପାଇଁ ନଦୀରେ ଅଗ୍ନିଶମ ବାହିନୀ ପକ୍ଷରୁ ଜୋରଦାର ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନା ଅନୁସାରେ, ଫୁଲବାଣୀ ପୌରପରିଷଦର ୨ ନମ୍ବର ୱାର୍ଡ ଅନ୍ତର୍ଗତ ଡାକପାଲା ସାହି ନିକଟ ଡ୍ୟାମ୍ ବ୍ରିଜ୍ରେ ଏହି ଅଘଟଣ ଘଟିଛି । ଦୁଇ ଫରେଷ୍ଟ କର୍ମଚାରୀ ଶ୍ରୀକାନ୍ତ ବେହେରା ଓ ପ୍ରମୋଦ ବେହେରା ସ୍କୁଟିରେ ଯାଉଥିବା ସମୟରେ କୌଣସି କାରଣରୁ ବ୍ରିଜ୍ ତଳକୁ ନଦୀରେ ଖସିପଡ଼ିଥିଲେ । ନଦୀରେ ପ୍ରବଳ ଜଳସ୍ରୋତ ଥିବାରୁ ଉଭୟେ ପାଣିରେ ଭାସିଯାଇଥିଲେ ।
ତେବେ ଶ୍ରୀକାନ୍ତ ବେହେରା କୌଣସି ପ୍ରକାରେ ନଦୀରୁ ବାହାରି କୂଳକୁ ଆସିବାରେ ସକ୍ଷମ ହୋଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶ୍ରୀକାନ୍ତଙ୍କୁ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଅନ୍ୟପଟେ ପ୍ରମୋଦ ବେହେରାଙ୍କ କୌଣସି ପତ୍ତା ମିଳିନାହିଁ । ତାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ନଦୀରେ ଖୋଜାଖୋଜି ଜାରି ରଖିଛନ୍ତି । ଏହି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ଓ ଉଦ୍ବେଗ ପ୍ରକାଶ ପାଇଛି ।












Leave a Reply