ଅକ୍ଷର ବ୍ୟୁରୋ: ଦେଶର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ଆଜି ଏକଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ସେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିବା ସହ ରାଜ୍ୟର ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ କରିବେ। ସକାଳ ୧୧ଟାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପରିସରରେ ଏହି ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା ଭିଭିଆଇପିଙ୍କ ଗସ୍ତକୁ ନେଇ ରାଜ୍ୟ ସରକାର ଓ କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ସ୍ଥାନଗୁଡ଼ିକରେ ପୁଲିସ ମୁତୟନ ସହ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି।
ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ବ୍ୟବସ୍ଥାରେ ସାମୟିକ ପରିବର୍ତ୍ତନ କରାଯାଇଛି। ସକାଳ ୧୦ଟା ୨୫ ମିନିଟ୍ରୁ ୧୦ଟା ୪୫ ମିନିଟ୍ ପର୍ଯ୍ୟନ୍ତ ବିମାନବନ୍ଦର ଛକରୁ ଓୟୁଏଟି ଛକ ପର୍ଯ୍ୟନ୍ତ ରାସ୍ତାରେ କଡ଼ା ଟ୍ରାଫିକ୍ କଟକଣା ଲାଗୁ ରହିବ। ଏହି ସମୟରେ ସାଧାରଣ ଲୋକଙ୍କୁ ଉକ୍ତ ରାସ୍ତା ବ୍ୟବହାର ନକରିବାକୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି। ସେହିପରି ଅପରାହ୍ନ ୩ଟା ୫୫ ମିନିଟ୍ ସମୟରେ ଜୟଦେବ ବିହାର ଛକ ଦେଇ ଯାତାୟାତ ଉପରେ ମଧ୍ୟ ସାମୟିକ କଟକଣା ଲାଗୁ ରହିବ। ଉପରାଷ୍ଟ୍ରପତିଙ୍କ ପରବର୍ତ୍ତୀ କାର୍ଯ୍ୟକ୍ରମକୁ ନେଇ ଏହି ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି।
ଟ୍ରାଫିକ୍ ପୁଲିସ ସାଧାରଣ ଜନତାଙ୍କୁ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପରାମର୍ଶ ଦେଇଛି, ଯାହାଦ୍ୱାରା ଅନାବଶ୍ୟକ ଟ୍ରାଫିକ୍ ଜାମ୍ ଓ ଅସୁବିଧାକୁ ଏଡ଼ାଯାଇପାରିବ। ତେବେ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ସମେତ ଜରୁରୀକାଳୀନ ସେବା ଯୋଗାଉଥିବା ଯାନବାହନ ପାଇଁ ଏହି କଟକଣା ଲାଗୁ ହେବ ନାହିଁ ବୋଲି କମିଶନରେଟ୍ ପୁଲିସ ସ୍ପଷ୍ଟ କରିଛି।ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜଧାନୀରେ ସୁରକ୍ଷା ଏବଂ ଟ୍ରାଫିକ୍ ପରିଚାଳନାକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଥିବାବେଳେ, ଜନସାଧାରଣଙ୍କ ସହଯୋଗ ଲୋଡ଼ାଯାଇଛି।















Leave a Reply